ଟୁବୁ ଛାତ୍ର, ବାପି ଯୁବ ବିଜେଡ଼ି ସଭାପତି

ଭୁବନେଶ୍ୱର(ଏସ୍ ନ୍ୟୁଜ): ବାକି ଥିବା ଦୁଇଟି ସାଙ୍ଗଠନିକ କାମ ସାରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ଛାତ୍ର ଏବଂ ଯୁବ ସଂଗଠନର ରାଜ୍ୟ ସଭାପତି ଭାବେ ସେ ଯଥାକ୍ରମେ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନାଁରେ ମୋହର ମାରିଛନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ବ୍ୟୋମକେଶ(ବାପି)। ପୂର୍ବରୁ ମଧ୍ୟ ସେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରହିସାରିଛନ୍ତି। ନିକଟରେ ତାଙ୍କୁ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲେ ମୁଖିଆ। ତେବେ ତାଙ୍କୁ ଯୁବ ବିଜେଡି ସଭାପତି କରାଯିବା ପରେ ସାଧାରଣ ସମ୍ପାଦକ ପଦବୀରୁ କାଢ଼ି ଦିଆଯାଇଛି।

ଅନ୍ୟପଟେ ପୂର୍ବର ଚର୍ଚ୍ଚା ମୁତାବକ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ(ଟୁବୁ)ଙ୍କୁ ଦଳର ରାଜ୍ୟ ଛାତ୍ର ସଭାପତି କରାଯାଇଛି। ବିଧାୟକ ହେବା ପୂର୍ବରୁ ସେ ବିସିଜେଡିର କାର୍ଯ୍ୟକାରୀ ସଭାପତି ପଦରେ ରହି ଆସିଥିଲେ। ରାଣାପ୍ରତାପ ପାତ୍ରଙ୍କ ଜାଗାରେ ସେ ଏବେ ସଭାପତି ହୋଇଛନ୍ତି। ଏହି ପଦବୀକୁ ନେଇ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା।

ଏହି ଦୁଇ ନୂତନ ପଦବୀ ଲାଗି ଦଳର ସଭାପତି ବ୍ୟୋମକେଶ ଓ ଦେବୀରଞ୍ଜନଙ୍କ ନାଁ ଚୂଡାନ୍ତ କରିଥିବା ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ(ମିଡିଆ) ମାନସ ମଙ୍ଗରାଜ।