ଗୁରୁବାରଠୁ ଖୋଲିବ ସିନେମା ହଲ

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସମସ୍ତ ସିନେମା ହଲ ଓ ମ୍ୟୁଜିକ ଥିଏଟର ଆସନ୍ତା ଅକ୍ଟୋବର ୧ ତାରିଖରୁ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ କୌଣସି ଶୋ’ ରେ ୫୦ ରୁ ଅଧିକ ଜନ ସାଧାରଣ ଯୋଗ ଦେବେ ନାହିଁ । ମୁଖ୍ୟମନ୍ତ୍ରୀ ମମତା ଶନିବାର ଟୁଇଟ କରି ଶର୍ତ ମୂଳକ ଅନୁମତି ଦେଇଛନ୍ତି । ସାମାନ୍ୟ ସ୍ଥିତିକୁ ଫେରିବା ଲାଗି ସିନେମା ହଲ, ଯାତ୍ରା, ନାଟକ, ସଂଗୀତ -ନୃତ୍ୟ ଶୋ ଆସନ୍ତା ଗୁରୁବାରଠାରୁ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି ।


ଅନୁମତିର ସର୍ତ୍ତ ଅନୁସାରେ ଜନ ସାଧାରଣଙ୍କୁ ସାମାଜିକ ଦୂରତା, ମାସ୍କ ପରିଧାନ ଓ କୋଭିଡ ୧୯ ସମସ୍ତ ନିୟମ ପାଳନ  କରିବାକୁ ପଡିବ। ରାଜ୍ୟ ତଥା ଦେଶର ସମସ୍ତ ସିନେମା ହଲ ଓ ଥିଏଟର ଚଳିତ ବର୍ଷ ମାର୍ଚ୍ଚ ମାସରୁ ବନ୍ଦ ରହିଛି । କୋଭିଡ ୧୯ ଯୋଗୁ ଦେଶରେ ଲକ ଡାଉନ ଜାରି ହୋଇଥିଲା ଏଥି ଯୋଗୁ କୋଣସି ସ୍ଥାନରେ ଜନ ସାଧାରଣଙ୍କ ଏକାଠି ହେବାକୁ ବାରଣ କରା ଯାଇଥିଲା । କେନ୍ଦ୍ର ସରକାର ଲକ ଡାଉନ ଉଠାଇବା ଘୋଷଣା କରିଥିଲେ ମଧ୍ୟ କୋଣସି ରାଜ୍ୟ ଜନ ସାଧାରଣଙ୍କ ଲାଗି ସିନେମା ହଲ କିମ୍ବା ଥିଏଟର ଖୋଲିବାକୁ ଅନୁମତି ଦେଇନଥିଲେ ।

ଏଭଳି ଅନୁମତି ଦେବାରେ ପଶ୍ଚିମ ବଙ୍ଗ ଏକମାତ୍ର ରାଜ୍ୟ। ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ଗୃହ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ସିନେମା ହଲ ଖୋଲିବାକୁ ଅନୁମତି ଦେଇ ନାହିଁ। କିଛି ଦିନ ତଳେ ସିଙ୍ଗଲ ସ୍କ୍ରିନ ଓ ମଲ୍ଟି ପ୍ଲେକ୍ସ ମାଲିକମାନେ ସୋସିଆଲ ମିଡିଆରେ ଅନୁମତି ପାଇଁ ବିକ୍ଷୋଭ ଅଭିଯାନ ଆରମ୍ଭ କରିଥିଲେ।ଏଠାରେ ସୂଚନା ଥାଉକି, ଗତ ୬ ମାସରେ ହଲ ବନ୍ଦ ଥିବାରୁ ଭାରତୀୟ ଫିଲ୍ମ ୩ ହଜାର କୋଟି ଟଙ୍କାର କ୍ଷତି ସହିଛି ।