ନବୀନବାବୁଙ୍କର ‘ମୋ ଡେଙ୍ଗୁ’ ଅଭିଯାନ

ଭୁବନେଶ୍ୱରରେ ୭୬୦ ଡେଙ୍ଗୁରୋଗୀ

ସରକାରୀ ଅଫିସ ଏବେ ମଶାଙ୍କ ଆଡ୍ଡା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୯ରେ ବ୍ୟାପିଛି ଡେଙ୍ଗୁ । ଘରକୁ ଘର ବୁଲି ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରୁଛି । ଏପରିକି ପିଏଚ୍‌ଡି ଅଫିସରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଛି ଡେଙ୍ଗୁ । ଜଣକର ମୁଣ୍ଡ ନେଇସାରିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଯେଉଁ ବିଭାଗଠାରୁ ବିଶୁଦ୍ଧ ପାନୀୟ ଜଳ ଆଶା କରୁଛନ୍ତି ଜନତା । ସେହି ବିଭାଗରୁ ଡେଙ୍ଗୁ ଚିହ୍ନଟ ହେଉଥିବାରୁ ସାଧାରଣ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଲାଣି । କୁମ୍ଭୀର ଯାଇ ମଝିନଈରେ ହେଲାଣି, ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ସଂକ୍ଷେପରେ କହିଲେ, ସବୁ ସରକାରୀ ଅଫିସ ମଶାଙ୍କ ଚରାଭୂଇଁ ପାଲଟିଛି । ଆପଣମାନେ ଜାଣିଛନ୍ତି, ସରକାରୀ କର୍ମଚାରୀଙ୍କ ପାନପିକ ପକାଇବା ଅଭ୍ୟାସ । ଏବେ ବି ସରକାରୀ କର୍ମଚାରୀମାନେ ଅଫିସ କାନ୍ଥକୁ ପାନପିକ ପକାଇ ଚିତ୍ରିତ କରୁଛନ୍ତି । ଅଳିଆ ଆବର୍ଜନା ସ୍ଥାନରେ ମଶା ବଂଶ ବୃଦ୍ଧି ପାଉଛନ୍ତି । ବିଏମ୍‌ସି ପକ୍ଷରୁ ସଚେତନତା କରାଯାଉନି; କେବଳ ଫଟୋରେ ଡ୍ରାଏ ଡେ’ ପାଳନ ଚାଲିଛି । ଏବେ ସୁଦ୍ଧା ରାଜଧାନୀରେ ୭୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଓ ୟୁନିଟ୍‌-୯ରୁ ଚିହ୍ନଟ ହୋଇଛନ୍ତି । ତା’ ସହିତ ଚନ୍ଦ୍ରଶେଖରପୁର ଓ ଡମଣା ଅଂଚଳରେ ମଧ୍ୟ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ।