ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ନୟାଗଡ : ଗଣିଆ ଥାନା ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ କାଦୁଅ ଗ୍ରାମରେ ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋଲେଖ ବାରିକଙ୍କ ପୁଅ ବିଶ୍ବଜିତ ବାରିକ ବୋଲି ଜଣାପଡିଛି । ଅପରାହ୍ନରେ ବିଶ୍ବଜିତଙ୍କ ଦେହ ଖରାପ ହୋଇ ବାନ୍ତି ହେବାରୁ ତାଙ୍କୁ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାରୁ ଜଣାପଡିଛି ଯେ ବିଶ୍ବଜିତ ତାଙ୍କ ଘର ପାଖରେ ଥିବା ଏକ ପାଳଗଦା ଉପରୁ ଖସି ପଡିଥିଲେ । ତାଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରି ଘରକୁ ନେଇଥିଲେ । ତେବେ ରବିବାର ଅପରାହ୍ନରେ ତାଙ୍କ ଶରୀର ଅସୁସ୍ଥ ହେବା ସହିତ ବାନ୍ତି କରିଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗଣିଆ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଶନିବାର ସେ ପାଳଗଦାରୁ ପଡିବା ପରେ ମେଡିକାଲକୁ ଆସିଥିବା ବେଳେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବାହାର ମେଡିକାଲକୁ ନପଠେଇବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିି ।

ଗଣିଆ ମେଡିକାଲ ପରିସରରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏଏସଆଇ ଦେବାଶିଷ ସେଠୀ ପ୍ରମୁଖ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ଦଶପଲ୍ଲା ମେଡିକାଲକୁ ପଠାଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ପଦାକୁ ଆସିପାରିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।