ବରଗଡ଼(ସାକ୍ସୀ ନ୍ୟୁଜ୍): ଜିଲ୍ଲାର ନୂତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ଭାବେ ମମତା ରାଣୀ ତ୍ରିପାଠୀ ଯୋଗଦାନ କରିଛନ୍ତି। ସେ ବରଗଡ଼ ଜିଲ୍ଲା କୃଷି ବିଭାଗରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ପରେ ଜିଲ୍ଲାର କୃଷି ବିଭାଗର କାର୍ଯ୍ୟକ୍ରମ ଓ ଚାଷୀମୁଖୀ ପଦକ୍ଷେପ ନେଇ ଆଶା ପ୍ରକାଶ ପାଇଛି ।
କୃଷି ପ୍ରଧାନ ବରଗଡ଼ ଜିଲ୍ଲାର ଅର୍ଥନୀତି ରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧାନଚାଷ ସମେତ ବିଭିନ୍ନ ଫସଲ ଉତ୍ପାଦନ ରେ ଜିଲ୍ଲାର ଚାଷୀମାନେ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଜଳସେଚନ, ପାଣିପାଗର ଅନିଶ୍ଚିତତା, ରୋଗପୋକ ନିୟନ୍ତ୍ରଣ, ଉନ୍ନତ ବିହନ ଓ ସାରର ସୁବିଧା, ଫସଲର ଉଚିତ ମୂଲ୍ୟ ଏବଂ କୃଷି ଯନ୍ତ୍ରପାତିର ଉପଲବ୍ଧତା ଭଳି ବିଭିନ୍ନ ସମସ୍ୟା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି।
ଏଭଳି ପରିସ୍ଥିତିରେ ଜିଲ୍ଲାର ନୂତନ ମୁଖ୍ୟ କୃଷି ଅଧିକାରିଣୀ ଙ୍କ ଦାୟିତ୍ୱ ଗୁରୁତ୍ୱ ବହନ କରୁଛି। ସରକାରଙ୍କ ବିଭିନ୍ନ କୃଷି ଯୋଜନାର ସୁଫଳ ଯେପରି ଯୋଗ୍ୟ ଚାଷୀଙ୍କ ନିକଟରେ ସଠିକ୍ ସମୟରେ ପହଞ୍ଚେ, ସେଥିପାଇଁ ବିଭାଗୀୟ ସମନ୍ୱୟ ଓ ତୃଣମୂଳ ସ୍ତରରେ ନିରୀକ୍ଷଣ ଆବଶ୍ୟକ ରହିଛି। ଏଥିସହ ଚାଷୀଙ୍କୁ ଆଧୁନିକ ଓ ବୈଜ୍ଞାନିକ କୃଷି ପଦ୍ଧତି ସମ୍ପର୍କରେ ସଚେତନ କରିବା, ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି, ଫସଲ ବିବିଧୀକରଣ ଏବଂ କୃଷକଙ୍କ ଆୟ ବୃଦ୍ଧି ଦିଗରେ ପଦକ୍ଷେପ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ବୃଦ୍ଧି କରି ସେମାନଙ୍କ ସମସ୍ୟା ଓ ଅଭାବ-ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା ଉପରେ ମଧ୍ୟ ଗୁରୁତ୍ୱ ରହିବ। ବିଶେଷକରି ଚାଷୀଙ୍କୁ ଆବଶ୍ୟକ କୃଷି ସାମଗ୍ରୀ, ପ୍ରଯୁକ୍ତି ଓ ସରକାରୀ ସହାୟତା ସମ୍ପର୍କରେ ସଠିକ୍ ସୂଚନା ଦେବା ଦ୍ୱାରା କୃଷି କ୍ଷେତ୍ର ଆହୁରି ସୁଦୃଢ଼ ହୋଇପାରିବ ।
ମମତା ରାଣୀ ତ୍ରିପାଠୀଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା କୃଷି ବିଭାଗ ଅଧିକ ଚାଷୀମୁଖୀ ଓ କାର୍ଯ୍ୟକ୍ଷମ ହେବା ସହ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ କୃଷିର ସାମଗ୍ରିକ ବିକାଶ ଦିଗରେ ନୂଆ ପଦକ୍ଷେପ ନିଆଯିବ ବୋଲି କୃଷକ ମହଲରେ ଆଶା ପ୍ରକାଶ ପାଇଛି ।