ନୂଆଦିଲ୍ଲୀ: ଜାତୀୟ ସ୍ବଚ୍ଛତା ସର୍ଭେ ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ର ପଞ୍ଚମ ପାଳିରେ ଓଡ଼ିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ସେହିପରି ପୂର୍ବ ଜୋନରେ ଥିବା ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ବଚ୍ଛ ସହର ତାଲିକାରେ ଓଡ଼ିଶାର ୬ଟି ଟପ୍ ୨୦ ରେ ରହିଛନ୍ତି।
କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ମସିହାରୁ ଏହି ସର୍ଭେ ହୋଇଆସୁଛି। ଚଳିତ ବର୍ଷ ଲଗାତାର ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ମାନ୍ୟତା ପାଇଛି। ଦ୍ବିତୀୟରେ ସୁରତ ଏବଂ ନଭି ମୁମ୍ବାଇ ରହିଛନ୍ତି। ସେହିପରି ଗଙ୍ଗାନଦୀ କୂଳରେ ଅବସ୍ଥିତ ସହର ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀ ସବୁଠୁ ସ୍ବଚ୍ଛ ନଗରର ମାନ୍ୟତା ପାଇଛି।
ଓଡ଼ିଶାକୁ ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଏବଂ ମଧ୍ୟମ ସହର ବର୍ଗରେ ବ୍ରହ୍ମପୁରକୁ ଶ୍ରେଷ୍ଠ ବିବେଚନା କରାଯାଇଛି। ଏହି ଦୁଇଟି ଜାତୀୟ ପୁରସ୍କାର ସହ ପୂର୍ବ ଜୋନର ଶ୍ରେଷ୍ଠ ୨୦ ସହର ମଧ୍ୟରେ ଓଡ଼ିଶାର ୬ଟି ସ୍ଥାନ ପାଇଛି। ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରର ଏହି ତାଲିକାରେ ଓଡ଼ିଶାର ପାରାଦ୍ୱୀପ(୮ମ), ବଡ଼ବିଲ(୧୨), ଢେଙ୍କାନାଳ(୧୪), ରାଜଗାଙ୍ଗପୁର(୧୭), ବ୍ୟାସନଗର(୧୯) ଓ ଚୌଦ୍ୱାର(୨୦) ରହିଛନ୍ତି।