ଅଙ୍ଗନବାଡ଼ି ପିଲା ଖାଇବେ ଚୁନା ମାଛ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ଅଙ୍ଗନବାଡି କେନ୍ଦ୍ରରେ ପକ୍ଷରୁ ପିଲାଙ୍କୁ ଅଣ୍ଡା ଓ ଛତୁଆ ଆଦି ଦିଆଯାଉଥିଲା। ଖୁବ୍‌ଶୀଘ୍ର ଏହି ତାଲିକାରେ ପିଲାମାନଙ୍କ ପାଇଁ ସରକାର ‘ଚୁନା ମାଛ’ ସାମିଲ କରିବାକୁ ଯାଉଛନ୍ତି ।

ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏହା ଦିଆଯିବ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଏହାକୁ ଅଙ୍ଗନବାଡ଼ି କେନ୍ଦ୍ରରେ ସାମିଲ କରାଯିବ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାଲର୍ଡ ଫିସ୍ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ । ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୁନା ମାଛ ଯୋଗାଇ ଦିଆଯିବ ।

ଏ ସମ୍ପର୍କରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମାଛରେ ପ୍ରଚୁର ପରିମାଣରେ ଲୌହ, ଜିଙ୍କ୍‌, କ୍ୟାଲସିୟମ୍‌, ଭିଟାମିନ ଓ ଓମେଗା-୩ ଫ୍ୟାଟି ଏସିଡ ମହଜୁଦ ରହିଛି। ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବା ଦ୍ୱାରା ଶିଶୁ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଅଣାଯାଇପାରିବ।