ଭାସିବ ଓଡ଼ିଶା । ଦାଉ ସାଧିବ ବନ୍ୟାପାଣି । ଘନଘନ ବର୍ଷା ପ୍ରଭାବରେ ଓଡ଼ିଶାର ଅଧିକାଂଶ ନଦୀରେ ଅକାତକାତ ପାଣି । ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବନ୍ୟା ପାଣି ଡରାଇଲାଣି ।
ବର୍ଷାଋତୁ ପୂର୍ବରୁ ରାଜ୍ୟର ସବୁ ନଦୀନାଳ ବନ୍ଧବାଡ଼ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଗିଦ କରିଥିଲେ ।
ମୋହନ ବାବୁଙ୍କ ତାଗିଦକୁ ତଳିଆ ଅଧିକାରୀମାନେ କେତେ ପାଳନ କରିଛନ୍ତି, ତାହାର ନମୁନା ଲୋକମାନେ ଦେଖି ସାରିଲେଣି । ବନ୍ୟାଜଳ ପ୍ରଭାବରେ କେତୋଟି ନଦୀରେ ଘାଇ ସୃଷ୍ଟି ହୋଇସାରିଛି ।
ଶନିବାର ଠାରୁ ଆହୁରି ଚାରିଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି ।
ସବୁ ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି । ବନ୍ୟା ଦାଉରୁ ପୀଡ଼ିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ତୟାର କରାଯାଇଛି । ଉପକୂଳ ଓଡ଼ିଶା, ଉତର ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ୟେଲୋ ଆର୍ଲଟ କରାଯାଇଛି ।
ସେପ୍ଟେମ୍ବର ପହିଲାରେ ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବ । ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହେଉଛି ।
ସମୁଦ୍ର ଭିତରକୁ ଯାଇ ମାଛ ଧରିବା ପାଇଁ ବାରଣ କରାଯାଇଛି ।
ନଦୀକୂଳିଆ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ବିପର୍ଯ୍ୟୟ ପ୍ରଶମନ ବିଭାଗ ସମେତ ଆହୁରି କିଛି ସରକାରୀ ବିଭାଗକୁ ତୟାର ରହିବାକୁ ପରାମର୍ଶ ଦିଆଯାଇଛି ।