ପୁଲିସକୁ ଖୋଲା ଚାଲେଞ୍ଜ: ଓଲା ଚାଳକଙ୍କୁ ଅପହରଣ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜଧାନୀରେ ଏନକାଉଂଟର କରି ପୁଲିସ କମିଶନରେଟ୍‌ ଯେତିକି ବାହାସ୍ଫୋଟ ମାରୁଥିଲା । ତାହା ଅତି ଶୀଘ୍ର ଫସର ଫାଟିଛି । ଜଣେ ଓଲା ଚାଳକଙ୍କୁ ଅପହରଣ କରି ଅପରାଧି ଗୋଷ୍ଠୀ ପୁଲିସକୁ ଖୋଲା ଚାଲେଞ୍ଜ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଗୃହ ବିଭାଗ କେତେ ଶକ୍ତିଶାଳୀ; ତାହା ଜାଣିବା ପାଇଁ ଅପରାଧିମାନେ ଜଣେ ଓଲା ଚାଳକଙ୍କୁ ଅପହରଣ କରିଛନ୍ତି । ସଂପୃକ୍ତ ଚାଳକଙ୍କୁ ଛାଡ଼ିବା ପାଇଁ ତାଙ୍କ ପତ୍ନୀଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ନେଇ ଯାଇଥିବାର ଶୁଣିବାକୁ ମିଳିଛି ।

ସୂଚନା ମୁତାବକ ଭୁବନେଶ୍ୱର ଅନ୍ତର୍ଗତ ପାତ୍ରପଡ଼ା ଅଂଚଳରେ ରହୁଥିବା ଓଲା ଚାଳକ ଶଙ୍କର୍ଷଣ ଦାସଙ୍କୁ କିଛି ଯୁବକ ଅପହରଣ କରିନେବା ପରେ ତାଙ୍କ ପରିବାରଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ଅଭିଯୁକ୍ତମାନେ ଶଙ୍କର୍ଷଣଙ୍କୁ ମାଡ଼ ମାରୁଥିବାର ଦୃଶ୍ୟକୁ ଭିଡିଓ କଲରେ ତାଙ୍କ ପତ୍ନୀଙ୍କୁ ଦେଖାଇଥିଲେ ।

ସ୍ୱାମୀଙ୍କୁ ମୁକୁଳାଇବା ଶଙ୍କର୍ଷଣଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଗୁରୁବାର ରାତି ପ୍ରାୟ ୮ଟାରୁ ଶଙ୍କର୍ଷଣଙ୍କୁ ଅପହରଣ କରାଗଲାଣି । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ହାତରେ କୌଣସି ତଥ୍ୟ ଲାଗିନି । ଶଙ୍କର୍ଷଣ କୁଆଡେ଼ କୁକୁର ବୁଲାଇବାକୁ ଆଣି ଅପହରଣକାରୀଙ୍କ କବଳରେ ପଡ଼ି ଯାଇଛନ୍ତି ।