ପାରାଦୀପରେ ଅଟକ ‘ଏମ୍‌ଭି ଦେବୀ’କୁ ଗିରଫ ନିର୍ଦ୍ଦେଶ

କଟକ: ଶୁକ୍ରବାର ଏକ ମାମଲାର ବିଚାର କରି ହାଇକୋର୍ଟ ପାରାଦୀପରେ ଅଟକ ଏମ୍‌ଭି ଦେବୀ’ ଜାହାଜକୁ ଗିରଫ କରିବାକୁ ଆଦେଶ ପ୍ରଦାନ କରିଛନ୍ତି ।
ଗତ ନଭେମ୍ବରରୁ ଅବକାରୀ ବିଭାଗ ଉକ୍ତ ଜାହାଜଟିକୁ ପାରାଦୀପ ଜାହାଜ ଖୁଆଡ଼ରେ ଅଟକାଇ ରଖିଛି । ଜାହାଜରେ କାର୍ଯ୍ୟରତ ୨୧ ଜଣ କର୍ମଚାରୀ ୩ ମାସ ଧରି ଅଟକ ରହିଛନ୍ତି । ମାମଲାର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଉକ୍ତ ଜାହାଜଟି ବନ୍ଦିନୀ ହୋଇ ରହିବ ।
ଜାହାଜ ମାଲିକଙ୍କ ନିକଟରୁ ବକେୟା ବାବଦ ସାଢେ଼ ୮ କୋଟି ଟଙ୍କା ପାଇବା ଆଶା ରଖି ହାଇକୋର୍ଟ ଯାଇଥିଲା ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ।
ସୂଚନା ମୁତାବକ, ନଭେମ୍ବର ୩୦ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିଲା ଏମ୍‌ଭି ଦେବୀ । କଷ୍ଟମ୍ସ ଉକ୍ତ ଜାହାଜରୁ ପ୍ରାୟ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ କରି କୁଜଙ୍ଗ କୋର୍ଟରେ ଜମା କରିଥିଲା । ଜାହାଜଟିକୁ ସଂପୂର୍ଣ୍ଣ ଦଖଲ କରିବା ପାଇଁ ସରକାର ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ; ମାତ୍ର ଜାହାଜର ମାଲିକ ଜାହାଜଟିକୁ ଫେରି ପାଇବା ଉଦ୍ୟମ ଜରି ରଖିଛନ୍ତି ।