ନ୍ୟାୟାଳୟଠାରୁ ଉଚ୍ଚରେ ଆମ କମିଶନରେଟ୍‌ ପୁଲିସ

ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଉକ୍ତ ସଂସ୍ଥା ବିଭିନ୍ନ ବର୍ଗର ଲୋକଙ୍କଠାରୁ ବହୁକୋଟି ଟଙ୍କା ସଂଗ୍ରହ କରିଥିଲା…

ଭୁବନେଶ୍ୱର: ଅଭିଯୁକ୍ତ ଠକଙ୍କୁ ଆଶ୍ରୟ ଦେଉଛି କମିଶନରେଟ୍‌ ପୁଲିସ । ଏଭଳି କିଛି ଜମାକାରୀ ଅଭିଯୋଗ କରିଛନ୍ତି ହାତରେ କୋର୍ଟଙ୍କ ନିର୍ଦ୍ଦେଶନାମା ଧରି । କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ପୁଲିସ କମିଶନରେଟ୍‌ ଜଣାଇ ଦେବାକୁ ଚାହୁଁଛି ଯେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିକଟରେ କୌଣସି କୋର୍ଟ ଉପରେ ନୁହେଁ ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଇନ୍‌ଫୋସିଟି ଥାନା ଅଂଚଳରେ ଡିଏଲ୍‌ଏଫ୍‌ ସାଇବର ସିଟିରେ ଲୁମେକ୍ସ ରିସର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥା ଖୋଲିଥିଲା । ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଉକ୍ତ ସଂସ୍ଥା ବିଭିନ୍ନ ବର୍ଗର ଲୋକଙ୍କଠାରୁ ବହୁକୋଟି ଟଙ୍କା ସଂଗ୍ରହ କରିଥିଲା ।

ଠକାମିର ଶିକାର ହୋଇଥିବା ଜାଣି କିଛି ଜମାକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପିଟିସନଟିକୁ ଭଲ ଭାବରେ ତର୍ଜମା କରିବା ପରେ କୋର୍ଟ ଲୁମେକ୍ସ ମୁଖ୍ୟ ରାଜୀବ ଲୋଚନ ଦାସ, ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀ, ହିମାଂଶୁ ଶେଖର ପାଣିଗ୍ରାହୀ, ବିମଳ କିଶୋର ପାଢ଼ୀ, ଉଷାରାଣୀ ପାଣିଗ୍ରାହୀ ପ୍ରମୁଖଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଚାରିମାସ ପୁରିଗଲା ମାତ୍ର ଇନ୍‌ଫୋସିଟି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ ।