‘ଅନ୍ଧାରରେ ବାଡ଼ି ବୁଲାଇବା ବନ୍ଦ କରନ୍ତୁ ଜୟନାରାୟଣ’

ପରିବାରକୁ ଭେଟି ସାନ୍ତ୍ୱନା ଦେଇ ବିଜେପି କିଛି ଭୁଲ କରିନି….

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର? ଏ ପ୍ରକାର ଅବାନ୍ତର ଅଭିଯୋଗ କରି ଖୋଦ୍‌ ଜୟନାରାୟଣ ମିଶ୍ର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କର କେଉଁ ପଦାଧିକାରୀ ତାଙ୍କୁ ରାସ୍ତାରୁ ହଟାଇବାକୁ ଚକ୍ରାନ୍ତ କରୁଛନ୍ତି, ତାଙ୍କ ନାମ ଉଚ୍ଚାରଣ କରିବାକୁ ଜୟନାରାୟଣ ଡରୁଛନ୍ତି କାହିଁକି? ସରକାରଙ୍କୁ ପ୍ରତି କଥାରେ ଅପଦସ୍ତ କରିବା ବିରୋଧୀ ଦଳର ସାମ୍ବିଧାନିକ କର୍ତବ୍ୟ ନୁହେଁ, ସରକାରଙ୍କ ଗଠନମୂଳକ କାମକୁ ପୂର୍ଣ୍ଣ ସହଯୋଗ କରିବା ମଧ୍ୟ ବିରୋଧୀ ଦଳର ଆଉ ଏକ ପ୍ରମୁଖ ସାମ୍ବିଧାନିକ ଦାୟିତ୍ୱ ।

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଦାସଙ୍କୁ ଦିବାଲୋକରେ ଲୋକଙ୍କ ଗହଣରେ ହତ୍ୟା କରାଗଲା; ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ, ଲଜ୍ଜିତ, ଦୁଃଖିତ । ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ସେ କ୍ରାଇମ୍‌ ବ୍ରାଂଚକୁ ନିୟୋଜିତ କରିଛନ୍ତି । ନବଦାସଙ୍କ ହତ୍ୟା ଅପରାଧ ପ୍ରତି ଅଧିକ ଭାବପ୍ରବଣତା ଦେଖାଇବା ବିଜେପି ପକ୍ଷେ ଶୋଭାପାଉନି ।

ନବଦାସ ଜୀବିତ ଥିବା ଅବସ୍ଥାରେ ବିଜେପି ନେତା ତଥା ମୋଦୀଙ୍କ କ୍ୟାବିନେଟର ବଳିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରଧାନ କେତେଥର ତାଙ୍କ ଘରକୁ ଯାଇଛନ୍ତି; ତା’ର ହିସାବ ରାଜ୍ୟବାସୀଙ୍କୁ ଦେଉ ବିଜେପି । ନବଦାସ ପରଲୋକକୁ ଚାଲିଯିବା ପରେ ତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇ ବିଜେପି କିଛି ଭୁଲ କରିନି ।

ଜୟନାରାୟଣ ମିଶ୍ର ନିଜେ ଜଣେ ବିଶୃଙ୍ଖଳିତ ଚରିତ୍ର । ତାଙ୍କୁ ପୁଣି କିଏ କାହିଁକି ମାରିବାକୁ ଉଦ୍ୟମ କରିବ? ରାଜ୍ୟ ସରକାର ଗୋଟିଏ ପ୍ରଶାସନିକ ଗାଡ଼ି । ତାକୁ ପରିଚାଳନା କରୁଛନ୍ତି ଶାସକ ଦଳ, ପ୍ରଶାସନିକ ମହଲ, ସରକାରୀ କର୍ମଚାରୀ । ଜୟନାରାୟଣଙ୍କୁ ଏସବୁ ବୁଝାଇବା ଅନାବଶ୍ୟକ ମାତ୍ର ରାଜ୍ୟ ସରକାରଙ୍କୁ ଦାୟୀ କରିବା ତାଙ୍କ ପକ୍ଷେ ଆଦୌ ଉଚିତ୍‌ ନୁହେଁ ।’

ରାଜ୍ୟ ଅନୁସୂଚୀତ ଜାତି/ଜନଜାତି ଓ ପଛୁଆ ବର୍ଗ ସାମ୍ମୁଖ୍ୟ ଆବାହକ ସୀତାରାମ ବେହେରା ଏହି ବୟାନ ଜାରି କରିଛନ୍ତି । ସେ କହିଛନ୍ତି, ନବଦାସଙ୍କ ହତ୍ୟାକାଣ୍ଡ ମାମଲାର କ୍ରାଇମ୍‌ ବ୍ରାଂଚ୍‌ ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ବିଜେପି ସିବିଆଇ ଯାଂଚ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁ । ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଦେଲେ, କୌଣସି କାମ ହୋଇଯିବନି ।