ପେଁକାଳି ବଜେଇଲେ ସବୁ ବିଭାଗ ସଚିବ

ସରିଲା ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀ….

ଭୁବନେଶ୍ୱର: ପୁରୀରେ ଅନୁଷ୍ଠିତ ଆଇଏଏସ୍‌ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରାୟ ସବୁ ବିଭାଗର ପ୍ରମୁଖ ସଚିବମାନେ ଏକକୁ ଆରେକ ବଳି ଲୋଭନୀୟ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟବାସୀ ମଧ୍ୟ ସଚିବମାନଙ୍କ ପ୍ରସ୍ତାବରେ ଗଦ୍‌ଗଦ୍‌ ଅନୁଭବ କରିଛନ୍ତି ।

ମାତ୍ର ଅଭିଜ୍ଞ ଆଇଏଏସ୍‌ ଅଧିକାରୀଙ୍କ ଫୁଟାଣିଆ କଥାକୁ ପରତେ ଯାଇନି ଜାତୀୟ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆବର୍ଗ ସାମ୍ମୁଖ୍ୟ । ‘ସବୁ ସରକାରୀ ବିଭାଗର ପ୍ରମୁଖ ସଚିବମାନେ ଠିକ୍‌ ଭାବରେ ସାମ୍ବିଧାନିକ ଦାୟିତ୍ୱ ତୁଲାଉଥିବା ଜାଣିଥିଲେ; ମୁଖ୍ୟମନ୍ତ୍ରୀ ହେବାର ୨୪ ବର୍ଷ ପରେ ନବୀନ ପଟ୍ଟନାୟକ ଆଉ ଗୋଟିଏ ଓଡ଼ିଶା ଗଠନ ପାଇଁ ଆହ୍ୱାନ କରି ନଥାନ୍ତେ ।

କୋଉ ବିଭାଗର ପ୍ରମୁଖ ସଚିବ କିକି ପେଁକାଳି ବଜାଇଛନ୍ତି; ସେ ବିଷୟରେ ପାଠକ ମହଲ ଜାଣିବା ଦରକାର ।
ନଗର ଊନ୍ନୟନ ନିଗମ ପ୍ରମୁଖ ସଚିବ ଜି. ମାଥିଭାଥନନ୍‌: ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଏକ ଲକ୍ଷ ଲୋକଙ୍କୁ ଜମି ଅଧିକାର ପ୍ରଦାନ କରାଯିବ । ରାଜ୍ୟର ୨୮ଟି ସହରରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ (କଳରୁ ପାଣି ପିଅନ୍ତୁ) ମିଶନ ହାତକୁ ନିଆଯାଇଛି । ରାଜ୍ୟର ୨୦୫୫ ୱାର୍ଡରେ ପାର୍କ, ୱାକିଂ ଟ୍ରାକ୍‌, ମୁକ୍ତାକାଶ ଜିମ ଆଦି ନିର୍ମାଣ କରାଯିବ । ବିଜୁ ଆଦର୍ଶ କଲୋନୀରେ ପ୍ରତି ଘର ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଯିବ ।

ଶିଳ୍ପ ସଚିବ ହେମନ୍ତ ଶର୍ମା: ଜିଲ୍ଲାସ୍ତରରେ ଶିଳ୍ପ ବିକାଶ ପାଇଁ ୧୨ ମାସିଆ କାର୍ଯ୍ୟସାରଣୀ ୨୦୨୩ ମାର୍ଚ୍ଚରୁ ୨୦୨୪ ଫେବୃଆରୀ ପର୍ଯ୍ୟନ୍ତ କାମ କରିବ । ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ପାଇଁ ଶିଳ୍ପନୀତି ସଂଶୋଧନ କରାଯିବା ସହ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି ।

କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ: ତିରିଶିଟି ଯାକ ଜିଲ୍ଲାରେ ମିଲେଟ୍‌ ମିଶନକୁ ପ୍ରୋତ୍ସାହନ ଦିଆଯାଉଛି । ଏବେ ୧୯ଟି ଜିଲ୍ଲାରେ ଚାଲିଛି; ଆଗାମୀ ଦିନରେ ଅନ୍ୟ ୧୧ଟି ଜିଲ୍ଲାକୁ ଯିବୁ । ମାଣ୍ଡିଆ, ମୁଗ, ବିରି, ବାଜରା ସମେତ ତୈଳବୀଜ, ଉଦ୍ୟାନକୃଷି, ଫୁଲଚାଷକୁ ଗୁରୁତ୍ୱ ଦିଆଯାଉଛି । ଆମ ରାଜ୍ୟ ଆଉ ଅନ୍ୟ ରାଜ୍ୟର ଫୁଲ, ତେଲ, ଡାଲି ଉପରେ ନିର୍ଭର କରିବ ନାହିଁ ।

ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ: ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ‘ଆମ ହସ୍ପିଟାଲ’ ଓ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ପ୍ରାଥମିକତା ଦେବେ । ୭୫୦ କୋଟି ଟଙ୍କା ବିନିମୟରେ ୧୪୭ଟି ହସ୍ପିଟାଲରେ ଆମୂଳଚୁଳ ପରିବର୍ତନ ହେବ । ଚିକିତ୍ସାଧୀନ ରୋଗୀଙ୍କୁ ଥଣ୍ଡା ଓ ଗରମ ପାଣି ମିଳିବ । ରୋଗୀଙ୍କ ସଂପର୍କୀୟଙ୍କୁ ସ୍ୱଚ୍ଛ ପ୍ରତୀକ୍ଷାଳୟ, ଉନ୍ନତମାନର ଟେଷ୍ଟିଂ ସୁବିଧା ମିଳିବ । ୩ ହଜାର ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତ କରାଯିବ ।

ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନ୍‌: ପ୍ରତି ଜିଲ୍ଲାରେ ମିସନ୍‌ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କ ତିଆରି କରାଯିବ । ଏବେ ୧୫ ବିଭାଗ ମିଶନ ଶକ୍ତି ସହ ହାତ ମିଳାଇଛନ୍ତି । ଆଗାମୀ ଦିନରେ ଅନ୍ୟ ବିଭାଗଗୁଡ଼ିକ ମିଶନ ଶକ୍ତି ସହ ହାତ ମିଳାଇବେ । ଫାଇଭ୍‌-ଟି ଦାୟିତ୍ୱରେ ଥିବା ସ୍କୁଲଗୁଡ଼ିକର ରକ୍ଷଣା ବେକ୍ଷଣ ଏସ୍‌ଏଚ୍‌ଜି ହାତକୁ ଯିବ ।

ପଂଚାୟତ ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର: ପଂଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ତାଲିମ ଦିଆଯିବ । ପ୍ରତି ଗ୍ରାମ ପଂଚାୟତ ଅଫିସରେ ‘ମୋ ସେବା କେନ୍ଦ୍ର’ ଖୋଲାଯିବ । ଉକ୍ତ କେନ୍ଦ୍ରରେ ସବୁ ସରକାରୀ ସେବା ଉପଲବ୍ଧ କରାଯିବ । ଲୋକଙ୍କୁ ଆଉ ବ୍ଲକ କି ଜିଲ୍ଲା ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ପ୍ରତି ଗ୍ରାମ ପଂଚାୟତ ଅଫିସଗୁଡ଼ିକ ମିନି ସଚିବାଳୟ ଭଳି କାମ କରିବ । ପ୍ରତି ଗ୍ରାମରେ ଇଂଟରନେଟ୍‌ ସେବା ଉପଲବ୍ଧ କରାଯିବ ।

ଦକ୍ଷତା ବିକାଶ ପ୍ରମୁଖ ସଚିବ ଉଷା ପାଢ଼ୀ: ସମାଜର ସବୁ ବର୍ଗର ପିଲାଙ୍କ ପାଇଁ ଶସ୍ତା ଓ ସୁଲଭ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଦକ୍ଷତା ବିକାଶ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସ୍କିଲଡ୍‌ ଇନ୍‌ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଘରୋଇ ବ୍ରାଣ୍ଡରେ ପରିଣତ କରାଯିବ । ଭୁବନେଶ୍ୱର ପାଣ୍ଡରାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ ଓ ସେଥିପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ କରାଯିବ ।