୨୩ରୁ କମନ୍‌ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାପାଇଁ ଅଗଷ୍ଟ ୨୩ରୁ ଆରମ୍ଭ ହେବ କମନ୍‌ ପିଜି ପ୍ରବେଶିକା ପରୀକ୍ଷା । ଏହା ପୂର୍ବରୁ ମହାବିଦ୍ୟାଳୟରେ ଆସନ୍ତା ଅଗଷ୍ଟ ୧୯ ତାରିଖଠାରୁ ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ସେପ୍ଟେମ୍ବର୨୭ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ରାଜ୍ୟ ସରକାରଙ୍କ ଉଚ୍ଚ଼ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଅଗଷ୍ଟ ୨୩ ତାରିଖ ଠାରୁ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯିବ । ଏହା ସେପ୍‌ଟେମ୍ବର ୧ ତାରିଖ ଯାଏଁ ଜାରି ରହିବ । ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ପିଜି ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ । ସେହିପରି ପିଜି ଶେଷ ସେମିଷ୍ଟାର ପିଲାମାନଙ୍କର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପିଲାମାନଙ୍କର ପରୀକ୍ଷା ଫଳ ସେପ୍‌ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି କୁଳପତି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚ଼ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।