ପେଟ୍ରୋଲ ପମ୍ପ ବିସ୍ଫୋରଣ: ଡିଏନ୍ଏ ପରୀକ୍ଷା ପାଇଁ କୋର୍ଟଙ୍କୁ ଅନୁମତି ମାଗିବ ପୋଲିସ

ଭୁବନେଶ୍ୱର (ଏସ୍ ନ୍ଯୁଜ) : ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ କମିଶନରେଟ ପୋଲିସର ତଦନ୍ତକାରୀ ଅଧିକାରୀ କୋର୍ଟରୁ ଅନୁମତି ଆଣିବାକୁ ଆବେଦନ କରିଛନ୍ତି।ଏହି ଘଟଣାରେ ଅଧିକ ଅଧିକ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଏହି ପରିପେକ୍ଷୀରେ ଘଟଣାସ୍ଥଳରୁ ସଂଗୃହ ହୋଇଥିବା ମାଂସ ଖଣ୍ଡ ଗୁଡିକ ମଣିଷ ଶରୀରର କେଉଁ ଅଂଶ, ସେସବୁକୁ ଚିହ୍ନଟ କରାଯାଇଛି।

ତେବେ ସେଥିରୁ କିଛି ଅଂଶ ଡିଏନ୍ଏ ପରୀକ୍ଷା ପାଇଁ ପଠାଯିବ। ତେବେ ସେଠାରେ ଘଟଣା ଘଟିବା ସମୟରେ ଥିବା ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କର ପତ୍ତା ଏଯାଏ ମିଳିନି । ଏଥିଲାଗି ଆଜି କମିଶନରେଟ ପୋଲିସର ତଦନ୍ତକାରୀ ଅଧିକାରୀ କୋର୍ଟରୁ ଅନୁମତି ଆଣିବାକୁ ଆବେଦନ କରିଥିବା ବେଳେ ଅନୁମତି ମିଳିବା ପରେ ଏ ନେଇ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ଚିଠି ଲେଖାଯିବ। ସେଠାରୁ ଅନୁମତି ମିଳିବା ପରେ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଖବର ଦିଆଯିବା ନେଇ ସୂଚନା ରହିଛି ।ପରିବାରଲୋକ ଆସିବା ପରେ ସଂଗୃହୀତ ନମୁନା ସହ ପରିବାର ଲୋକଙ୍କଠାରୁ ସଂଗ୍ରହ ନମୁନାର ମ୍ୟାଚ କରାଯିବ ।

ଏଥିସହିତ ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ୪ଜଣିଆ ବିଶେଷଜ୍ଞ ଟିମ୍ ଦ୍ବିତୀୟ ଦିନ ପାଇଁ ପେଟ୍ରୋଲ ପମ୍ପରେ ଛାନଭିନ୍ କରିଛନ୍ତି । ତଦନ୍ତକାରୀ ଟିମ୍ ସହ ମଧ୍ୟ ଆଲୋଚନା କରିଛନ୍ତି।

ବିସ୍ଫୋରଣର ଶିକାର ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଥିବା ଭରଦ୍ବାଜ ଶ୍ରୀବାସ୍ତବଙ୍କ ବୟାନ ସବୁଠୁ ଗୁରୁତ୍ବପୂର୍ଣ୍ଣ । କାରଣ ବିସ୍ଫୋରଣ ଘଟିବା ଦିନ ଶ୍ରୀବାସ୍ତବ ଘଟଣାସ୍ଥଳରେ ଥିଲେ। ସେଦିନ ଦୁର୍ଘଟଣା କିପରି ଘଟିଥିଲା, ସେ ସବୁ କଥା କହିପାରିବେ ବୋଲି ପୁଲିସ ଆଶା ବାନ୍ଧିଛି। କେବଳ ପୁଲିସ ନୁହେଁ ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ(ପେସୋ) ପାଇଁ ମଧ୍ୟ ଏହି ବୟାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ଘଟଣା ପ୍ରଥମ ଥର ପାଇଁ ହୋଇଥିଲା। ତେଣୁ ଏହା କିପରି କେଉଁ ପରିସ୍ଥିତିରେ ହେଲା ତାହା ଜାଣିବା ନିହାତି ଆବଶ୍ୟକ ହୋଇପଡିଛି ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ନିଖୋଜ ଅଛନ୍ତି।