ପୁରୀ ସମେତ ଦେଶର ୮ଟି ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା

ବିଶ୍ୱ ମାନଚିତ୍ରରେ ପୁରୀର ଗୋଲ୍ଡନ ବିଚ୍ ସ୍ଥାନ ପାଇଛି । ଆଉ ବିଶ୍ଵ ପ୍ରସିଦ୍ଧ ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଛି ବ୍ଲୁ ଫ୍ଲାଗ ମାନ୍ୟତା ।ଏହାକୁ ନେଇ ଭାରତ ଶେଷରେ ବ୍ଲୁ ଫ୍ଲାଗ ବିଚ୍ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇଛି ।

ଏହି ତାଲିକାରେ ୫୦ ରାଷ୍ଟ୍ର ସ୍ଥାନ ପାଇଥିବା ବେଳେ ପୁରୀ ବେଳାଭୂମି ସମେତ ଦେଶର ମୋଟ ୮ଟି ବିଚ୍ କୁ ସାମିଲ କରାଯାଇଛି । ଏହି ମର୍ଯ୍ୟାଦାଜନକ ଟ୍ୟାଗ ହାସଲ କରିଥିବା ଅନ୍ୟ ବେଳାଭୂମିଗୁଡ଼ିକ ହେଲା ଶିବରାଜପୁର(ଗୁଜୁରାଟ), ଘୋଘଲା(ଡିଉ), କସରକୋଡ୍ (କର୍ଣାଟକ), ପଡୁବିଦ୍ରି (କର୍ଣାଟକ), କପ୍ପଡ଼(କେରଳ), ଋଷିକୋଣ୍ଡା(ଆନ୍ଧ୍ରପ୍ରଦେଶ) ଓ ରାଧାନଗର(ଆଣ୍ଡାମାନ) ।

ତେବେ ଏହି ଟ୍ୟାଗ୍ ପାଇବା ଲାଗି ପୁରୀ ବେଳାଭୂମି ୩ଟି ସର୍ତ୍ତ ପୂରଣ କରିଛି । ଅନ୍ତର୍ଜାତୀୟ ଜୁରି ସଂସ୍ଥା ଡେନମାର୍କର ଫାଉଣ୍ଡେଶନ ଫର୍ ଏନ୍‌ଭାଇରନମେଣ୍ଟାଲ ଏଜୁକେଶନ (ଏଫ୍ଇଇ) ପକ୍ଷରୁ ଉକ୍ତ ମାନ୍ୟତା ମିଳିଛି । ଏ ନେଇ ରବିବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ମାନ୍ୟତା ପାଇବା ପାଇଁ ଦେଢ଼ବର୍ଷ ଧରି ଗାନ୍ଧୀଘାଟଠାରୁ ହୋଟେଲ ମେ’ଫେୟାର ପର୍ଯ୍ୟନ୍ତ ୮୬୦ ମିଟର ପରିବ୍ୟାପ୍ତ ବେଳାଭୂମି ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ ସହ ବିକଶିତ କରାଯାଇଥିଲା ।

ବ୍ଲୁ ଫ୍ଲାଗ ସାର୍ଟିଫିକେଶନ ହେଉଛି ଏକ ଉଚ୍ଚ ସ୍ବୀକୃତିପ୍ରାପ୍ତ ଇକୋ ଲେବଲ୍ । ଏହି ଟ୍ୟାଗ ପାଇବାକୁ ହେଲେ ଡେନ୍‌ମାର୍କସ୍ଥିତ ଏଫ୍ଇଇ ପକ୍ଷରୁ ନିର୍ଦ୍ଧାରିତ ୩ଟି ମାପଦଣ୍ଡ ପୂରଣ କରିବାକୁ ପଡ଼ିଥାଏ । ପୁରୀ ସମୁଦ୍ରକୂଳ ଏହି ସବୁ ସର୍ତ୍ତ ପୂରଣ କରିଥିବାରୁ ଏବେ ଏହି ଅନ୍ତର୍ଜାତୀୟ ସଫଳତା ମିଳିଛି ।

ଏଇଇ ପକ୍ଷରୁ ମିଳିଥିବା ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ବିଶ୍ବସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଏଫ୍ଇଇ ପୁରୀ ବେଳାଭୂମିକୁ ସ୍ବୀକୃତି ପ୍ରଦାନ କରିଛି । ଏହି ମାନ୍ୟତା ଐତିହ୍ୟ ସହର ପୁରୀକୁ ଆହୁରି ସରସ ସୁନ୍ଦର କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ବିଶ୍ଵ ଐତିହ୍ୟ ସହର ହେବ ପୁରୀ । ଏଥିପାଇଁ ଅନେକ ପ୍ରକଳ୍ପ କାମ ଚାଲିଛି । ଆଗକୁ ଅନେକ ଯୋଜନା ବି ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବାରେ ବ୍ଲୁ ଫ୍ଲାଗ ବିଚ୍ ବେଶ୍ ସହାୟକ ହେବ । ପର୍ଯ୍ୟଟକଙ୍କ ଲାଗି ଏଠାରେ ସମସ୍ତ ସୁବିଧା କରାଯାଇଛି । ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଙ୍ଗଜୋନ୍, ଚେଞ୍ଜିଙ୍ଗରୁମ୍, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିଂ ଫାଷ୍ଟଏଡ୍, ବ୍ୟାୟାମ ଉପକରଣ, ପିଲାଙ୍କ ପାଇଁ କ୍ରୀଡ଼ା ଉପକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସ୍ନାନ ନିମନ୍ତେ ପାଣିର ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସେହିପରି ପରିବେଶଭିତ୍ତିକ ନିର୍ମାଣକୁ ପ୍ରାଥମିକତା ଦିଆଯାଇ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟଜଳ, ୱାଚ୍ ଟାୱାର ବ୍ୟବସ୍ଥା ଉପରେ ଧ୍ଯାନ ଦିଆଯାଇଛି । ଏହା ସହ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସିସିଟିଭି, ଲାଇଫ୍‌ଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ପର୍ଯ୍ୟଟକଙ୍କୁ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଦେବା ଲାଗି ପ୍ରାୟ ସାଢେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୁରୀ ବେଳାଭୂମିକୁ ଏହି ମାନ୍ୟତା ମିଳିବା ପରେ ଆଗାମୀ ଦିନରେ ପୁରୀକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପର୍ଯ୍ୟଟକମାନେ ଏଠାରେ ଥିବା ଅତ୍ୟାଧୁନିକ ସେବା ସୁବିଧା ପାଇପାରିବେ । ଏହା କେବଳ ପୁରୀ ନୁହେଁ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି । ଆଗାମୀ ଦିନରେ ଏହି ମାନ୍ୟତା ବଜାୟ ରଖିବା ଲାଗି ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ଭାରତର ବ୍ଲୁ ଫ୍ଲାଗ୍ ବିଚ୍ ଗୁଡ଼ିକର ମିଶନ ଲିଡର ସଞ୍ଜୟ ଜଲ୍ଲା କହିଛନ୍ତି, ଦେଶର ୮ଟି ବେଳାଭୂମିକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ଉଲ୍ଲେଖନୀୟ । ଏହା ହେଉଛି ପ୍ରଥମ ଉଦ୍ୟମରେ ୧୦୦ ପ୍ରତିଶତ ସଫଳତା । କାରଣ ପୂର୍ବରୁ ଭାରତର କୌଣସି ବେଳାଭୂମିକୁ ଏହି ମାନ୍ୟତା ମିଳି ନ ଥିଲା । ଏହାବାଦ୍ ଉପକୂଳ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି । ସମନ୍ୱିତ ଉପକୂଳ ପରିଚାଳନା ଯୋଜନା(ବିଇଏଏମ୍‌ଏସ୍)ର ପରିକଳ୍ପନା କରିଥିବା ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଅଧୀନ ସୋସାଇଟି ଅଫ୍ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ମ୍ୟାନେଜମେଣ୍ଟ (ଏଆଇସିଓଏମ୍) ଉପକୂଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହି ମାନ୍ୟତା ହାସଲ ପାଇଁ ପ୍ରୋତ୍ସାହନ ଦେଉଛି । ଖୁବ୍‌ଶୀଘ୍ର ଆନୁଷ୍ଠାନିକ ଭାବେ ଏକ ବ୍ଲୁ ଫ୍ଲାଗ ହୋଷ୍ଟିଙ୍ଗ ଉତ୍ସବର ଆୟୋଜନ କରାଯିବ ବୋଲି ଏଆଇସିଓଏମ୍ ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ନଉଟିୟାଲ ସୂଚନା ଦେଇଛନ୍ତି ।