ବଜାରରେ ଶସ୍ତାରେ ମିଳୁଛି ଆଳୁ ବିହନ

ସରକାରୀ ବିହନ ନେବାକୁ ଚାଷୀ ଅମଙ୍ଗ

ରାଜ୍ୟରୁ ଆଳୁ ସଙ୍କଟ ଦୂର ପାଇଁ ସରକାର…

ଢେଙ୍କାନାଳ: ରାଜ୍ୟରୁ ଆଳୁ ସଙ୍କଟ ଦୂର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଳୁ ମିଶନକୁ କ୍ରିୟାଶୀଳ କରିଛନ୍ତି । ମାତ୍ର ଆଳୁ ମିଶନକୁ ଏବେ ଅଡ଼ୁଆ କଲାଣି ବଜାରରେ ମିଳୁଥିବା ଶସ୍ତା ବିହନ । ସରକାରୀ ବିହନ ଠାରୁ ବଜାରରେ କମ୍ ଦାମରେ ମିଳିବା ସହ କାଗଜପତ୍ର ଝାମେଲା ନଥିବାରୁ ଚାଷୀ ବଜାରରୁ ବିହନ ନେଇଛନ୍ତି । ବଜାର ବିହନ ଉପଯୁକ୍ତ ନୁହେଁ, ଅମଳ କମିବ ବୋଲି ବୁଝାଉଥିଲେ ବି ସରକାରୀ ବିହନ ନେବାକୁ ଚାଷୀ ଅମଙ୍ଗ ହେଉଛନ୍ତି । ଯାହାଫଳରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଆସିଥିବା ବିହନ ପଡ଼ି ରହିଛି । ଏଥର ଏଭଳି ସ୍ଥିତି ଉଦ୍ୟାନ ବିଭାଗକୁ ଚିନ୍ତାରେ ପକାଇଛି । ନୂଆ ସରକାର ଆସିବା ପରେ ଶିଥିଳ ପଡ଼ିଥିବା ଆଳୁ ମିଶନକୁ ବଳ ଦେଇଥିଲେ । ଗତବର୍ଷ ଢେଙ୍କାନାଳ ଜିଲ୍ଲାରେ ୩୭୫ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲା । ଜମିର କାଗଜପତ୍ର ଦେଇ ଚାଷୀ ସରକାରୀ ଆଳୁ ବିହନ ନେଇ ଲଗାଇଥିଲେ । ଅନେକ ଆଳୁ ବିହନ ନେଇ ଲଗାଇବା ପରିବର୍ତ୍ତେ ଖାଇ ଦେଇଥିବା ଅଭିଯୋଗ ଉଠିଥିଲା । ଏହାପରେ ବି ଅଳୁ ଭଲ ଅମଳ ହୋଇଥିଲା । ଏଥର ଏହାକୁ ଆହୁରି ବୃଦ୍ଧି କରାଯାଇଛି । ପ୍ରାୟ ଦୁଇ ଗୁଣ ଜମି ବଢ଼ାଯାଇଛି । ଚଳିତ ବର୍ଷ ୯୫୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧୪ ହଜାର ୨୫୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି । ମାତ୍ର ଏ ପର୍ଯ୍ୟନ୍ତ ଜିଲ୍ଲାକୁ ୫ ହଜାର ୩୫୩ କୁଇଣ୍ଟାଲ ବିହନ ଆସିଛି ।

ନିୟମ ଅନୁସାରେ, ଚାଷୀଙ୍କୁ ସର୍ବନିମ୍ନ ୬ ଗୁଣ୍ଠ ଜମି ପାଇଁ ଦେଢ଼ କୁଇଣ୍ଟାଲ ବା ୩ ପକେଟ୍ ଆଳୁ ବିହନ ଦିଆଯାଉଛି । କେଜି ପିଛା ୨୦ ଟଙ୍କା ହିସାବରେ ୩ ହଜାର ଟଙ୍କା ଦେଇ ଚାଷୀ ବିହନ ନେଉଛି । କୃଷକ ପୋର୍ଟାଲରେ ପଞ୍ଜୀକରଣ ପରେ ଜମିର କାଗଜପତ୍ର, ଆଧାର କାର୍ଡ, ଫଟୋ କପି ଆଦି ଦେଇ ବିହନ ନେଉଛି । ଗଛ ହେବା ପରେ ଜିପିଏସ୍ ଫଟୋ ଦେଲେ ଅଧା ସବ୍‌ସିଡ୍ ଆକାରରେ ଫେରିପାଇବାର ନିୟମ ରହିଛି ।

ଗତ ନଭେମ୍ବର ୧୮ ତାରିଖରୁ ଜିଲ୍ଲାରେ ଆଳୁ ବିହନ ବଣ୍ଟନ ଆରମ୍ଭ ହୋଇ ଏହି ଦରରେ ଚାଷୀଙ୍କୁ ଦିଆଯାଉଥିଲା । ମାତ୍ର ପରବର୍ତ୍ତି ସମୟରେ ବଜାରରେ ଏହାଠାରୁ ଅଧା ଦାମରେ ବିହନ ମିଳିଥିଲା । ସରକାରୀ ବିହନ ବସ୍ତାପ୍ରତି ୧ ହଜାର ଟଙ୍କା ରହିଥିବା ବେଳେ ଖୋଲା ବଜାରେ ୫ଶହ ଟଙ୍କାରେ ବିକ୍ରି ହେଉଛି । ଏଣୁ ଚାଷୀ ସିଧା ସଳଖ ବଜାରରୁ ଆଳୁ ବିହନ କିଣି ନେଉଛନ୍ତି । ଉଦ୍ୟାନ ବିଭାଗ ଏହା ଜାଣିବା ପରେ ଏକ ଘୋଷଣାପତ୍ରର ବ୍ୟବସ୍ଥା କରିଛି । ଚାଷୀଙ୍କୁ ପଛରେ ସବ୍‌ସିଡ୍ ଟଙ୍କା ଫେରସ୍ତ ଦେବା ପରିବର୍ତ୍ତେ, ଆରମ୍ଭରୁ ତାହା ଛାଡ଼ କରି ଅଧା ଦାମ୍‌ରେ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏବେ ବସ୍ତା ପିଛା ୫ଶହ ଟଙ୍କା ଦେଇ ଚାଷୀ ସରକାରୀ ବିହନ ନେଉଛନ୍ତି । ବିହନ ଲଗାଇ ଗଛ ହେବା ପରେ ଫଟୋ ଦେବେ ବୋଲି ଘୋଷଣାପତ୍ର ଲେଖି ଦେଉଛନ୍ତି । ଉଦ୍ୟାନ କୃଷି ବିଭାଗର ଏଭଳି ବ୍ୟବସ୍ଥା ପରେ ଏବେ ବଜାରରେ ଆହୁରି ଶସ୍ତା ହୋଇ ୫ କେଜି ବିହନ ବସ୍ତା ପିଛା ୪ ଶହ ଟଙ୍କାରେ ମିଳୁଛି । ଚାଷୀ କାଗଜପତ୍ର ଝାମେଲା, ଦର ଅଧିକା ନଦେଇ ବଜାରରୁ ଆଳୁ ବିହନ ନେଇ ଲଗାଉଥିବା ଦେଖାଯାଉଛି । ଏଣୁ ଆସିଥିବା ସରକାରୀ ବିହନରୁ ଅଧା ଏପର୍ଯ୍ୟନ୍ତ ବଣ୍ଟା ଯାଇପାରିଛି । ବିଡ଼ମ୍ବନାର କଥା ସରକାରୀ ବିହନ ଚାଷ ଉପଯୋଗୀ ବିହନ ରହିଛି । ବିହନ ପାଇଁ ଉପଯୁକ୍ତ ସାଇଜ୍ ରହିଛି । ଯେଉଁଥିରେ ଭଲ ଗଛ ହେବା ସହ ୮ରୁ ୧୦ କେଜି ଆଳୁ ଫଳିବ । ଖୋଲା ବଜାରରେ ମିଳୁଥିବା ବିହନ ଅତି ଛୋଟ । ଗଛ ଦୁର୍ବଳ ହେବା ସହ ରୋଗପୋକ ଲାଗିବାର ଆଶଙ୍କା ରହିଛି । ଏହାସତ୍ତ୍ୱେ ଚାଷୀ ସରକାରୀ ବିହନ ନନେଇ ଖୋଲା ବଜାରରୁ ବିହନ ନେଇ ଚାଷ କରୁଛନ୍ତି ।