ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ର ପୂର୍ବପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା
୨୦୨୬ ଶେଷ ସୁଦ୍ଧା ୩୦ରୁ ଅଧିକ ISSର ଭିତ୍ତିପ୍ରସ୍ତର ସ୍ଥାପନା ଲକ୍ଷ୍ୟ ଏବଂ ଜଳ ସଂରକ୍ଷଣକୁ ସୁଦୃଢ଼ କରିବ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍
୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପୂର୍ବପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ରାଜ୍ୟରେ ଜଳ ସଂରକ୍ଷଣକୁ ଅଧିକ ସୁଦୃଢ଼ କରିବା ଏବଂ ବ୍ୟବହାର ନିମନ୍ତେ ଜଳର ଉପଲବ୍ଧତା ବୃଦ୍ଧି ଦିଗରେ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ (ISS) ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ୪ଟି ପର୍ଯ୍ୟାୟରେ ଅନୁମୋଦିତ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ଗୁଡ଼ିକର ପୂର୍ବପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା। ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
ବୈଠକରେ ISS କାନ୍ସପାଲ, ISS କାଦୋଦରା, ISS ସୁଙ୍ଗରହ, ISS ଭରତପୁର ଓ ISS ଫୁଲବାରୀ ପ୍ରକଳ୍ପର ପୂର୍ବପ୍ରସ୍ତୁତି କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଚାଲିଥିବା ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ରାଜ୍ୟର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ଏବଂ ବିଭିନ୍ନ ବ୍ୟବହାର ପାଇଁ ଜଳ ଉପଲବ୍ଧତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୦୨୬ ଶେଷ ସୁଦ୍ଧା ୩୦ରୁ ଅଧିକ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ବିଭାଗୀୟ ଲକ୍ଷ୍ୟ ନେଇ ସମୀକ୍ଷା କରାଯାଇଥିଲା ।