ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକୁ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ଅଧିକ ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଗୁରୁବାର ଦିନ କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
କଟକରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱରେ ଥିବା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ଦୃଢ଼ ସାମାଜିକ ପଦକ୍ଷେପ।
କଟକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ପ୍ରଦାୟର ୫୫ ଜଣ ଦମ୍ପତି ଜନପ୍ରତିନିଧିଙ୍କ ସହ ଏହି ମାଙ୍ଗଳିକ କାର୍ଯ୍ୟରେ କଟକ ସଦରର ମାନ୍ୟବର ବିଧାୟକ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, ବିଭାଗର ନିର୍ଦ୍ଦେଶିକା, ବିଭାଗର ଅନ୍ୟ ଅଧିକାରୀଗଣ, କଟକର ଜିଲ୍ଲାପାଳ, ସିଏମ୍ସି କମିଶନର, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ର ଏହି କାର୍ଯ୍ୟକ୍ରମରେ ୬୧ ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ କନ୍ୟାମାନଙ୍କ ବିବାହ ନିମନ୍ତେ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।