ପୁରୀ: ଆଜି ନିଳାଦ୍ରୀ ବିଜେ । ନବଦିନ ଯାତ୍ରା ପରେ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ ମହାପ୍ରଭୁ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ, ଏହାକୁ ହିଁ ନୀଳାଦ୍ରିବିଜେ କୁହାଯାଏ ।
ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରି ମାନଭଞ୍ଜନ କରିଥା’ନ୍ତି । ରୀତିନୀତି ଅନୁଯାୟୀ,ମା’ମହାଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥାନ୍ତି ।
ମହାପ୍ରଭୁ ତାଙ୍କୁ ସାଥିରେ ଗୁଣ୍ଡିଚା ମନ୍ଦିରକୁ ନ ନେଇଯିବାରୁ ତାଙ୍କ ଉପରେ ମା’ କ୍ରୋଧିତ ହୋଇଥାନ୍ତି । ମା’ଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ତାଙ୍କୁ ରସଗୋଲା ପ୍ରଦାନ କରନ୍ତି । ଏହି ରୀତିନୀତି ପରେ ପ୍ରଭୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି ଏବଂ ରତ୍ନବେଦୀରେ ବିରାଜମାନ କରନ୍ତି ।