ଜ୍ୱରରେ କମ୍ପୁଛନ୍ତି କାଳିଆ ସାଆନ୍ତ

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜରରେ ପଡିଛନ୍ତି ମହାପ୍ରଭୁ । ଆଜିଠୁ ୧୩ଦିନ ଧରି ଚାଲିବ ଗୁପ୍ତ ଉପଚାର । ଅଣସର ଘରେ ଦଇତାପତି ସେବାୟତମାନେ ଦାରୁଦିଅଁଙ୍କ ପାରମ୍ପରିକ ଉପଚାର ନୀତି ଆରମ୍ଭ କରିଛନ୍ତି । ଅଣସରରେ ମହାପ୍ରଭୁ ଥିବାରୁ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପ୍ଧବକ୍ତନ୍ତି ପଟି ଦିଅଁ । ଏହି ସମୟରେ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀମନ୍ଦିରରେ ଘଣ୍ଟ ଘଣ୍ଟା ବାଜିବ ନାହିଁ । ମହାପ୍ରଭୁଙ୍କୁ ରଙ୍ଗିନ ଫୂଲ ଲାଗି ହେବ ନାହିଁ । ଶ୍ରୀ ଅଙ୍ଗ ସେବକ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ସେବା କରିବେ । ଓଦା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡିକରେ ଫୁଲୁରିତେଲ ଲାଗି, ଔଷଧ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ । ଅନବସର ତାଟି ନିକଟରେ ମହାପ୍ରଭୁଙ୍କ ସ୍ଥାନରେ ପଟିଦିଅଁ ପୂଜା ପାଇବେ ।

ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଯେପରି କଷ୍ଟ ନପାଆନ୍ତୁ ସେଥିପାଇଁ ମହାପ୍ରଭୁ ଜଗନ୍ନାଥ ଆଜିଠୁ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଏହି ସବୁଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ।

ମହାପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ଖିରିକୁ ନେଇ କିମ୍ବଦନ୍ତୀ ଏବଂ କପିଳ ସଂହିତାରେ ଆଉ ଏକ ବର୍ଣ୍ଣନା ରହିଛି। ଉପନୟନ ଓ ମନ୍ତ୍ର ଶିଖି ନ ଥିବା ୫ ବର୍ଷର ବାଳକ ହାତରୁ ଖିରି ଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭକ୍ତ ମନରେ ଭାବ ଥିଲେ ମନ୍ତ୍ର ଉପଚାରର ଆବଶ୍ୟକତା ନାହିଁ। ଯୁଗେ ଯୁଗେ ଏହାର ପ୍ରମାଣ ଦେବା ପାଇଁ ଏବେ ବି ମହାପ୍ରଭୁଙ୍କ ଦେହରେ ଫୋଟକା ଦାଗ ରହିଛି। ଏହି ବ୍ରାହ୍ମଣ ପରିବାରର ନାମ ଅନୁଯାୟୀ ମହାପ୍ରଭୁ ଅଲାରନାଥ ହେବାର ପ୍ରମାଣ ଅଛି।

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।