କରୋନାରେ ଆଖି ବୁଜିଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପଦ୍ମବିଭୂଷଣ,ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନା ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩.୪୯ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ପ୍ରତିଭାବାନ ବ୍ୟକ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କୁ ୭୮ ବର୍ଷ ବୟସ ହୋଇଥିଲା ,ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ଏମ୍‌ସରେ ଭର୍ତ୍ତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ ।

ସୂଚନାଯୋଗ୍ୟ, ରଘୁନାଥ ମହାପାତ୍ର ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଖୁବ୍ କମ୍ ବୟସରୁ ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ମନୋନୀତ କରାଯାଇଥିଲା,୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ଜଣେ ଅସାଧାରଣ ବ୍ୟକ୍ତି ଥିଲେ ରଘୁନାଥ ମହାପାତ୍ର । ଓଡ଼ିଶାର ଭାସ୍କର୍ଯ୍ୟ କଳା ଶିଳ୍ପକୁ ଦେଶ ବିଦେଶରେ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ମୋଟାମୋଟି ଭାବେ ଓଡ଼ିଶାର କଳାକୃତିକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସେ ଥିଲେ ଅଗ୍ରଣୀ । ଦ୍ୱିତୀୟ କୋଣାର୍କ ସ୍ଥାପନ ପାଇଁ ତାଙ୍କର ଥିଲା ବିରାଟ ସ୍ୱପ୍ନ । ଯାହା ଏବେ ଅଧୁରା ରହିଗଲା ।

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃବୃନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ଜଣାଇଛନ୍ତି । ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛିୁ ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।