ଆଗାମୀ ୪ ଦିନ ବର୍ଷା
୬ ଜିଲାରେ ପ୍ରବଳ ବର୍ଷା
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରୁ ପ୍ରବେଶ କରିଥିବାବେଳେ…
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରୁ ପ୍ରବେଶ କରିଥିବାବେଳେ ଦୁର୍ବଳ ଥିବାରୁ ୩ ଦିନ ମଧ୍ୟରେ ସାରା ରାଜ୍ୟକୁ ଅଗ୍ରସର ହୋଇପାରିନାହିଁ। ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ୍ ମୌସୁମୀ ବର୍ଷା। ଆଜିଠାରୁ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର(ସେମି) ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ କେତେକ ଅଞ୍ଚଳରେ ୧୧ରୁ ୨୦ ସେମି ହୋଇପାରେ। ଏହାଦ୍ବାରା ସମସ୍ତ ଜିଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି।
ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଏବଂ କଟକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗୀର ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।