ରଣଜୀ ଟ୍ରଫି: ଗୋଆକୁ ଭେଟିବ ଓଡ଼ିଶା

ଅହମ୍ମଦାବାଦ : ଆଜି ଅହମ୍ମଦାବାଦ ମୋଟରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ(ବି)ରେ ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲା ହେବ। ଏଥି ପାଇଁ ଉଭୟ ଦଳ ବୁଧବାର ଶେଷ ଅଭ୍ୟାସ କରିଛନ୍ତି । ଓଡ଼ିଶା ଚଳିତ ସିଜନରେ ଗ୍ରୁପ୍‌-ଡରେ ସ୍ଥାନ ପାଇଛି। ବହୁ ପ୍ରତୀକ୍ଷିତ ଚଳିତ ରଣଜୀ ସିଜନ ପାଇଁ ଓଡ଼ିଶାର ଖେଳାଳୀମାନେ ବେଶ ଉତ୍ସାହିତ ନଜର ଆସିଛନ୍ତି। ମ୍ୟାଚ୍ ପୁର୍ବରୁ ଗତକାଲି ରାଜ୍ୟ ବ୍ୟାଟ୍ସମ୍ୟାନ୍ ତଥା ବୋଲରମାନେ ନେଟ୍‌ରେ ଜୋରଦାର ଝାଳ ବୁହାଉଥିବା ନଜର ଆସିଥିଲେ। ଏହି ସମୟରେ ଦଳର ମୁଖ୍ୟ କୋଚ୍ ୱାସିମ୍ ଜାଫର ଉପସ୍ଥିତ ଥିଲେ।

ସେହିପରି ଭୁବନେଶ୍ବରର ବିକାଶ ଗ୍ରାଉଣ୍ଡରେ ଏଲିଟ ଗ୍ରୁପ୍ – ବି’ର ହାଇଦ୍ରାବାଦ– ଚଣ୍ଡିଗଡ଼ ଏବଂ କଟକର ବାରବାଟୀ ଷ୍ଟାଡିୟମରେ ବରୋଦା –ବେଙ୍ଗଲ ମ୍ୟାଚ ଅନୁଷ୍ଠିତ ହେବ। କୋଭିଡ– ୧୯ର ତୃତୀୟ ଲହର ଯୋଗୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ରଣଜୀ ଟ୍ରଫି ଆରମ୍ଭ ହେବା ନେଇ ସନ୍ଦେହ ଦେଖାଦେଇଥିଲା। ମାତ୍ର ସଂକ୍ରମଣ ହାର କମିବା ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଏହି ପ୍ରତିଯୋଗିତାକୁ ଦଳ ବିଶିଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା।

ବାୟୋ – ବବୁଲ ପରିବେଶ ମଧ୍ୟରେ ରହି ଖେଳାଳିମାନେ ମ୍ୟାଚ ଖେଳିବ। ୩୮ ଏଲିଟ ଗ୍ରୁପ୍ ‘ଡି’ର ଅନ୍ୟ ଏକ ମ୍ୟାଚ ଗତଥରର ଚାମ୍ପିୟନ ସୌରାଷ୍ଟ୍ର ଓ ୪୧ଥର ଟାଇଟଲ ବିଜୟୀ ମୁମ୍ବାଇ ମଧ୍ୟରେ ଅହମଦାବାଦଠାରେ ଆରମ୍ଭ ହେବ। ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। କାରଣ ମୁମ୍ବାଇ ଦଳରେ ରାହାନେ ଏବଂ ସୌରାଷ୍ଟ୍ର ଦଳରୁ ପୂଜାରା ଖେଳିବେ।

ନିକଟ ଅତୀତରେ ଖରାପ ପ୍ରଦର୍ଶନ ଯୋଗୁ ଉଭୟଙ୍କ ଟେଷ୍ଟ କ୍ୟାରିୟର ସଙ୍କଟରେ ପଡ଼ିଛି । ତେଣୁ ରଣଜୀ ଟ୍ରଫିରେ ଉଭୟ ଖେଳାଳି ବଡ଼ ସ୍କୋର କରିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ଉତ୍ସୁକତା ବଢ଼ିଛି ।