ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ଆଇନ ସଚେତନତା, ଆର୍ଥିକ ସାକ୍ଷରତା ଓ ସାଇବର ଠକେଇ ବାବଦରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ରାୟଗଡ଼ା ବ୍ଳକ ସଦଭାବନା ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା, ଲିଡ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଏଡିଏମଓ ଡ: ମମତା ଚୌଧୁରୀ, ଡ: ଏଲ ପି ଦାସ, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ସାଇବର ବିଶେଷଜ୍ଞ ଇନିସପେକ୍ଟର ଅବିନାଶ ରେଡ୍ଡୀ, ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୂଖ ମଞ୍ଚାସୀନ ଥିଲେ |
ପୂର୍ବାହ୍ନ ଆଠ ଘଟିକା ସମୟରେ ଉପସ୍ଥିତ ବରିଷ୍ଠ ନାଗରିକ ଯୋଗ ଅଭ୍ୟାସ ଓ ସ୍ଵାସ୍ଥ୍ୟ ପରିକ୍ଷା କରାଯାଇଥିଲା | ଦିବା ଦଶ ଘଟିକା ସମୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା ।
ଡ: ମମତା ଚୌଧୁରୀ ସୁସ୍ଥ ରହିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ | ଏଲ ଡି ଏମ୍ ଶ୍ରୀ ବାଉରୀ ବରିଷ୍ଠ ନାଗରିକ ନିମନ୍ତେ ଉଦ୍ଦିଷ୍ଟ ବ୍ୟାଙ୍କ ସେବା ସହ ଜୀବନ ବୀମା, ସ୍ଵାସ୍ଥ୍ୟ ସେବା ବୀମା, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ, ଆୟୁଷ୍ମାନ ବାୟୋ ବନ୍ଦନା, ଆୟ କର ଅଧିନିୟମ ବିଷୟରେ ସଚେତନ କରିଥିଲେ । ଇନ୍ସପେକ୍ଟର ଅବିନାଶ ରେଡ୍ଡୀ ସାଇବର ଠକେଇର ପ୍ରକାର ଯଥା ଏଟିଏମ ଠକେଇ, କ୍ଲୋନିଙ୍ଗ , ୟୁପିଆଇ, ହ୍ବାଟ ସ ପ୍, ଫେସ ବୁକ, କେୱାଇସି, ଏପିକେ ଫାଇଲ ତଥା ଅଧିକ ସୁଧ ପ୍ରଦାନ ଲୋଭ ଦେଖାଇ ଠକେଇ ଆଦିର ଦୃଷ୍ଟାନ୍ତ ମାଧ୍ୟମରେ ସଚେତନ କରିଥିଲେ ।
ଡ: ଦୁଷ୍ମନ୍ତ କୁମାର ମହାନ୍ତି ସାମ୍ପ୍ରତିକ ପରିସ୍ଥିରେ ଜଗତୀକରଣ ର କୁପ୍ରଭାବ ସମାଜର ଗତିବିଧି ଆୟତ୍ତ କରିବାକୁ ହେଲେ ସଚେତନ ହେବା ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ସଂଘରେ ୨୫୦ ରୁ ଉର୍ଦ୍ଧ ସଦସ୍ୟ ବରିଷ୍ଠ ନାଗରିକ ଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟରତ ଥିବା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ର ଏତାଦୃଶ କର୍ମଶାଳା ମାଧ୍ୟମରେ ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ଶ୍ରୀ ସି ଏସ ପାତ୍ର ଏବଂ ସମ୍ପାଦକ ଶ୍ରୀ ବଳଦେବ ଥାପ୍ପାଙ୍କୁ ସମ୍ମାନିତ କରାଯାଇଥିଲା |
ଶେଷରେ ରାୟଗଡା ସଦର ବ୍ଳକ ର ତିରିଶି ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା | ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ଜିଲ୍ଲା ଓ ରାୟଗଡ଼ ବ୍ଲକର ସାମାଜିକ ସୂରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମକର୍ତ୍ତା ସହଯୋଗ କରିଥିଲେ |