ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ଯୁବକର ନିଖୋଜ ଅଭିଯୋଗ, ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର ।

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମୁଖ୍ୟାଳୟ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପୋଲରେ ଆଜି ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଜିଟି ଲେନ ପଞ୍ଚମନ୍ଦିର ନିବାସୀ ଶେଷନାଥ ଓଝାଙ୍କ ପୁଅ ବିକାଶ ଓଝା(୨୨)। ମିଳିଥିବା ରିପୋର୍ଟ ମୁତାବକ, ବିକାଶ ସାଙ୍ଗମାନଙ୍କ ସହ ବେଦବ୍ୟାସସ୍ଥିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ପ୍ଲାଣ୍ଟ ସାଇଟ ଥାନାରେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ଉପର ମୁଣ୍ଡରେ ବନ୍ୟା ଜଳରେ ଭାସିଯାଇ ବିକାଶ ମୃତ୍ୟୁବରଣ କରିଥିଲେ । କିନ୍ତୁ ମୃତଦେହଟି ବାରକୋଟସ୍ଥିତ ବ୍ରାହ୍ମଣୀ ନଦୀର ପୁରୁଣା ପୋଲରେ ଭାସି ଆସି ଅଟକି ରହିଥିଲା । ସୂଚନା ପାଇ ବାରକୋଟ ଥାନା ପୁଲିସ ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ।