ବଲାଙ୍ଗୀର, (ଏସ୍ ନ୍ୟୁଜ୍) : ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲାପରେ ବି ପାଖ ମାଡିଲେନି ସଂପର୍କୀୟ । ଗ୍ରାମବାସୀ ବି ଆଡଆଖିରେ ଦେଖିଲେନି । ଶେଷରେ ନାବାଳକ ପୁଅ ଶଗଡ ଗାଡି ବାପାଙ୍କ ଶବ ବୋଝେଇ କରି ମଶାଣିକୁ ନେଲେ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତରେ କିଛିବର୍ଷ ପୂର୍ବେ ଛତିଶଗଡର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସିଥିଲେ । ସେ ସେହି ଗାଁର ସୀତା ସରାଫଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ । ଉଭୟେ ନିକଟସ୍ଥ ଗୋଶାଳାଠାରେ ରହୁଥିଲେ । କଲ୍ୟାଣ ଓ ସୀତାଙ୍କ ଦୁଇ ପୁଅ ଓ ଦୁଇ ଝିଅ । ସମସ୍ତେ ନାବାଳକ । ଗତ କିଛିଦିନ ତଳେ କଲ୍ୟାଣ ଅସୁସ୍ଥତା ଅନୁଭବ କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ପରିବାର ଲୋକେ ମୃତଦେହକୁ ସେମାନେ ରହୁଥିବା ଗ୍ରାମ ନିକଟ ଝୁଲେନବର ଗୋଶାଳାକୁ ନେଇଥିଲେ । ସୀତା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ଗାଁରେ ଥିବା ସୀତାଙ୍କ ସମ୍ପର୍କୀୟ କଲ୍ୟାଣ ଅନ୍ୟ ଜାତିର ହୋଇଥିବା ଦର୍ଶାଇ ପାଖକୁ ଯାଇ ନଥିଲେ । ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜାତି ସମାଜ କେହି ପହଞ୍ଚି ନଥିଲେ । ଶେଷରେ ସୀତାଙ୍କ ଅନୁରୋଧ ରକ୍ଷାକରି ଗାଁର କୁଚି ବରିହା ତାଙ୍କ ଶଗଡ ଗାଡିରେ ଶବ ନେବାକୁ ରାଜି ହୋଇଥିଲେ । ଶବକୁ ନିକଟସ୍ଥ ଜଙ୍ଗଲକୁ ନିଆ ଯାଇଥିଲା । ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କ ସହଯୋଗରେ ଜଙ୍ଗଲରେ ଗାତ ଖୋଳାଯାଇ ଶବସତ୍କାର କରିଥିଲେ କଲ୍ୟାଣଙ୍କ ନାବାଳକ ପୁଅ ।