ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ପୂର୍ବରୁ ୨୨ ଟି ପ୍ରଶ୍ନର ଜବାବ୍ ମାଗିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ୱର : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନ୍ଦୁର ଫରୁଆ ଭିତରେ ରହୁଛନ୍ତି । ପଦାକୁ ଆସୁନାହାନ୍ତି । ଏପରିକି ଲୋକସେବା ଭବନ ବା ବିଧାନସଭାକୁ ମଧ୍ୟ ଆସୁନାହାନ୍ତି । ଓଡିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ନିଜ ଘରକୁ ଡାକି କଥାବାର୍ତା ହେଉଛନ୍ତି । ଅନ୍ୟ ପଟେ ରାଜନୀତି କରିବା ପାଇଁ ତାଙ୍କ ପାଖରେ ବହୁତ ସମୟ ରହିଛି ଏବଂ ପଦାକୁ ଆସୁଛନ୍ତି ବୋଲି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପ୍ରଚାର ଆଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି । ଏହି ଅବସରରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସିନ୍ଦୁର ଫରୁଆରୁ ବାହାରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯାଉଛନ୍ତି । ଅତୀତରେ କୁଚିଣ୍ଡା ସମେତ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗସ୍ତ ପୂର୍ବରୁ ୨୨ ଟି ପ୍ରଶ୍ନ କରାଯାଇଛି ।

କୁଚିଣ୍ଡା ସମେତ ପଶ୍ଚିମ ଓଡିଶାର ଗରୀବ ଲୋକମାନଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାରୁ ବଞ୍ଚିତ କରାଯାଇଛି ? କୁଚିଣ୍ଡା ଉପଖଣ୍ଡକୁ ସ୍ୱତନ୍ତ୍ର ଆଦିବାସୀ ଓନ୍ନୟନ ପରିଷଦ ଗଠନ ଓ ସ୍ୱତନ୍ତ୍ର ଆଦିବାସୀ ଜିଲ୍ଲା ମାନ୍ୟତା କେବେ ମିଳିବ ? ଗତ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ କୁଚିଣ୍ଡାର ଉଭୟ ପାର୍ଶ୍ଵ ପାଇଁ ଭିତିପ୍ରସ୍ତର ଦିଆଯାଇଥିବା ଖର୍ଲା ଓ ଭେଡେନ ନଦୀରେ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ବର୍ତମାନ ସୁଦ୍ଧା କାହିଁକି ଆରମ୍ଭ ହୋଇନାହିଁ ? ଜମନକିରା ବ୍ଲକର ସଙ୍ଖାଲାଙ୍ଗୁଡି ନାଳରେ ଗୁହୁରିନାଳା ଓ ବାମରା ବ୍ଲକର ଲହରଙ୍ଗା ନାଳରେ ବ୍ୟାରେଜ ନିର୍ମାଣ କେବେ ହେବ ? କୁଚିଣ୍ଡା ଉପଖଣ୍ଡରେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଆଦିବାସୀ ଏବଂ ବନବାସୀଙ୍କ ସ୍ୱରୋଜଗାର ବୃଦ୍ଧି ପାଇଁ ଜଙ୍ଗଲ ଓ କୃଷିଭିତିକ କାରଖାନା ପ୍ରତି ।, ଉନ୍ନତମାନର ଚିକିତ୍ସା ପାଇଁ ଉନ୍ନତମାନର ଡାକ୍ତରଖାନା କେବେ , ବହୁ ପୁରାତନ କୁଚିଣ୍ଡା କଲେଜକୁ ସଂପୂର୍ଣ୍ଣ ସରକାରୀ ମାନ୍ୟତା କେବେ ପ୍ରଦାନ କରାଯିବ ? ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରତି କ୍ୱିଂଟାଲ ଧାନ ପିଛା ୧୦୦ ଟଙ୍କା ବୋନସ କେବେ ପ୍ରଦାନ କରିବେ ? ୨୦୧୮ ମସିହାରେ କୁଚିଣ୍ଡା ଉପଖଣ୍ଡ ଅଞ୍ଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ୧୬୦ କୋଟି ଟଙ୍କା କେବେ ମିଳିବ ? କୁଚିଣ୍ଡା ଉପଖଣ୍ଡରେ ୩୫ ପ୍ରତିଶତ ଚାଷ ଜମିକୁ କେବେ ଜଳସେଚିତ କରାଯିବାର ପ୍ରଶ୍ନ କରାଯାଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ପୁରୁଣା ବିଜୁ ସ୍ଵାସ୍ଥ୍ୟକଲ୍ୟାଣ କାର୍ଡ ଜରିଆରେ କେତେ ଜଣଙ୍କୁ ସୁବିଧା ଯୋଗା ଦିଆଯାଇଛି, ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା ତଥା ସମ୍ବଲପୁର ଜିଲ୍ଲାର ଯୁଜୋମୁରା ବ୍ଲକ ଅଞ୍ଚଳକୁ ଆଦିବାସୀ ଅଞ୍ଚଳର ମାନ୍ୟତା କେବେ ଦେବେ, ଗତ ବର୍ଷ ଖରିପ ଋତୁରେ ମଣ୍ଡିରେ ମାସ ମାସ ଧରି ଧାନ ପଡି ରହିବା ଓ ବିଭିନ୍ନ ଆଳ ଦେଖାଇ ପଡି ରହିଥିବା ଧାନକୁ କାହିଁକି ଏବଂ କାହା ସ୍ୱାର୍ଥରେ ଉଠାଗଲା ନାହିଁ, ତାର ମଧ୍ୟ ଜବାବ୍ ଦେବାକୁ ମୁଖ୍ୟ୍ୟମନ୍ତ୍ରୀଙ୍କଠାରେ ଦାବୀ କରାଯାଇଛି । ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପଶ୍ଚିମ ଓଡିଶାର କୌଣସି ମନ୍ତ୍ରୀ ବା ଶାସକ ବିଜେଡିର ବିଧାୟକ ତଥା ନେତାମାନେ ମୁହଁ ଖୋଲିନାହାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି । ‘ମୈାନେ ସମ୍ମତି ଲକ୍ଷଣ’ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହ ମୃତ ମମିତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ନିହାତି ଆବଶ୍ୟକ । ଏଥି ସହ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚ କରାଯିବା ଆବଶ୍ୟକ । ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ଓ ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ସହ ପ୍ରମୁଖ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ