ଭୁବନେଶ୍ବର( ଏସ୍ ନ୍ଯୁଜ )ରାଜ୍ୟରେ କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡିଛି। ହେଲେ ଅନେକ ରାଜ୍ୟ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମୟରେ ଓଡିଶାରେ ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ କରୋନା ସ୍ଥିତି ଦେଖି ବିଚାର କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ । ଆସନ୍ତା ୨୬ରେ ଦୁର୍ଗାପୂଜା ହୋଇଥିବା ବେଳେ ଅକ୍ଟୋବରରେ ଖୋଲିବ ନାହିଁ । ତେଣୁ ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ବିଚାର କରାଯିବ । ଅକ୍ଟୋବର ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ । ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ଏଥିରେ ସନ୍ଦେହ ନାହିଁ । ତେବେ ଆମ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ।’