ରିୟାଙ୍କ ରିମାଣ୍ଡ ୨୦ ଅକ୍ଟୋବରକୁ ବୃଦ୍ଧି

ମୁମ୍ବାଇ(ଏସ୍ ନ୍ୟୁଜ): ମଙ୍ଗଳବାର ମୁମ୍ବାଇର ଏନଡିପିଏସ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ରିମାଣ୍ଡ ଅବଧିକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିୟାଙ୍କ ସହ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କର ରିମାଣ୍ଡ ଅବଧି ମଧ୍ୟ ବୃଦ୍ଧି କରାଯାଇଛି।

ରିୟା ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ କିନ୍ତୁ ସେପ୍ଟେମ୍ବର ୨୯ରେ ଏନେଇ ରାୟ ସଂରକ୍ଷିତ ରଖିଥିଲେ। ଆଗାମୀ ରାୟ ଆସନ୍ତାକାଲି ଆସିବ ବୋଲି ଆଶା କରାଯାଉଛି। ଏହି ଅଭିନେତ୍ରୀ ବର୍ତ୍ତମାନ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଛନ୍ତି। ରିୟା, ସୌଭିକ, ସୁଶାନ୍ତଙ୍କ ଘର ପରିଚାଳକ ସାମୁଏଲ୍ ମିରାଣ୍ଡା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ସେମାନଙ୍କ ଜାମିନ ଶୁଣାଣି ସମୟରେ ଏନସିବି ବମ୍ବେ ହାଇକୋର୍ଟଙ୍କୁ କହିଛି ଯେ, ରିୟା ତାଙ୍କ ଭାଇ ସୌଭିକ ଏବଂ ଡ୍ରଗ୍ସ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ଏହା ଦୃଢ଼ ଭାବରେ ବିରୋଧ କରୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କହିଛି ଯେ, ଗିରଫ ହୋଇଥିବା ଭାଇଭଉଣୀ ଏବଂ ଅନ୍ୟମାନେ “ଡ୍ରଗ୍ ସିଣ୍ଡିକେଟର ସକ୍ରିୟ ସଦସ୍ୟ”।

ଅନ୍ୟପଟେ ବମ୍ବେ ହାଇକୋର୍ଟରେ ୪୭ ପୃଷ୍ଠାର ଜାମିନ ଆବେଦନ ପତ୍ରରେ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ, ଭାଇ ସୌଭିକ ଏବଂ ତାଙ୍କ ଘରର କର୍ମଚାରୀମାନଙ୍କୁ ଡ୍ରଗ୍ସ ଅଭ୍ୟାସକୁ ସୁଗମ କରିବା ପାଇଁ ବ୍ୟବହାର କରିଥିଲେ।

ସୂଚନାଯୋଗ୍ୟ, ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏହା ଆତ୍ମହତ୍ୟା କିମ୍ବା ହତ୍ୟା ମାମଲା ବୋଲି ଅନୁସନ୍ଧାନ କରୁଥିବାବେଳେ ଏନସିବି ଡ୍ରଗ୍ସ ଷଡଯନ୍ତ୍ରରେ ଦୃଷ୍ଟି ରଖିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ଉପରେ ମଧ୍ୟ ଯାଞ୍ଚ କରୁଛି।