ଆଜିଠୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷ ସୋମବାରଠୁ ଆରମ୍ଭ ହୋଇଛି । ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ମଙ୍ଗଳବାର ଠାରୁ ସପ୍ତାହବ୍ୟାପୀ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ମଙ୍ଗଳବାର ଠାରୁ ପାଳନ କରାଯିବ। ୬ରୁ ୧୪ ବର୍ଷ ବୟସର ଯେଉଁମାନେ ନୂଆ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିଦ୍ୟାଳୟ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରବେଶ ଉତ୍ସବ ପାଳନ କରାଯିବ। ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଏବଂ ନାମଲେଖା ଅଭିଯାନ ୧୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବତୀ ଏସ୍ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।