ଭୁବନେଶ୍ୱର(ଏସ୍ ନ୍ୟୁଜ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ସକାଳ ୬ଟା ୫୯ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିବା ନେଇ ପୁଅ ମସୁଦ ଅଲ୍ଲୀ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।
ସୂଚନା ଅନୁଯାୟୀ, ଗତ ୭ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶେଖ୍ ମତଲୁବ ଅଲ୍ଲୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ତାଙ୍କର ପରଲୋକ ଘଟିଛି।

ଶେଖ୍ ମତଲୁବ ଅଲ୍ଲୀ ୧୯୪୨ ମସିହା ଡିସେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସ ଟିକେଟରେ ୪ଥର କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସେ ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା ଭଳି ଅଧିକାଂଶ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ଜଣେ ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ଥିଲେ। ଗଣକବି ବୈଷ୍ଣବ ପାଣିଙ୍କ କୃତିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ରାଜ୍ୟର ଜଣେ ଜଣାଶୁଣା ରାଜନେତା ହୋଇଥିବାରୁ ତାଙ୍କ ବିୟୋଗରେ ରାଜନୈତିକ ଏବଂ ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।ମତଲୁବ ବାବୁଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି।ସେ ଜଣେ ସରଳ,ନିଷ୍କପଟ,ପରୋପକାରୀ ବ୍ୟକ୍ତି ଭାବେ ୫ ଦଶନ୍ଧି ଧରି କଂଗ୍ରେସ ଦଳ ସହ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ କାର୍ଯ୍ୟ କରିଆସୁଥିଲେ।ସେ ମନ୍ତ୍ରୀ ଥିବାବେଳେ ଅନେକ ଗୁଡିଏ ଜନମଙ୍ଗଳ କାର୍ଯ୍ୟ କରିଥିବାରୁ ସେ ଲୋକଙ୍କ ହୃଦୟରେ ରହିବେ।ସେ ଜଣେ ବିଶିଷ୍ଟ ସାହିତ୍ୟିକ ଓ ଲେଖକ ଭାବେ ସମସ୍ତଙ୍କ ପାଖେ ପରିଚିତ।ସ୍ବର୍ଗତଃ ମତଲୁବ ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।ସେହିପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ମଧ୍ୟ ତାଙ୍କ ମୃତ୍ଯୁରେ ଶୋକ ପ୍ରକାଶ କରିଛନ୍ତି।

ସେହିପରି ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ, ସାରସ୍ୱତ ସାଧକ, ବିଶିଷ୍ଟ କବି, ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକ ବ୍ୟକ୍ତ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।