ରାଜଧାନୀ ଉପକଣ୍ଠ ଇନଫୋସିଟି ଥାନା ନିକଟସ୍ଥ ଶିଖରଚଣ୍ଡୀ ପାହାଡ଼ରେ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ଜାରି କରାଯାଇଛି। ହାତୀ ପାଇଁ ଶିଖରଚଣ୍ଡି ପାହାଡକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଛି ବନ ବିଭାଗ। ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ଡେରା ପକାଇଛନ୍ତି। ହାତୀ ବୁଲୁଥିବାରୁ ପାହାଡ଼କୁ ଯିବାକୁ ବାରଣ କରିଛି ବନ ବିଭାଗ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡ଼ ଉପରେ ବଣଭୋଜି ଚାଲୁଛି। ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ପାହାଡ ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ହାତୀ ନ ଯିବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୋଜି ଭାତ ବନ୍ଦ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗର ପଦକ୍ଷେପ ପରେ ଲୋକେ ଅସନ୍ତୋଷ ଥିବା ବେଳେ ଖୁବଶିଘ୍ର ପର୍ଯ୍ୟଟକଙ୍କ ପାଇଁ ଗେଟ୍ ଖୋଲା ଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ।
ସୂଚନାଯୋଗ୍ୟ ଯେ, ଶିଖରଚଣ୍ଡୀ ପାହଡ଼ରେ ଚାରିଦିନ ହେବ ୨ ଦନ୍ତା ହାତୀ ବୁଲିବା ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସହରକୁ ହାତୀ ପ୍ରବେଶ ନକରି ପାରିବା ପାଇଁ ପ୍ରଶାସନ ଦ୍ୱାରା ମୁଖ୍ୟ ଫାଟକ ବନ୍ଦ କରାଯାଇଛି। ଗତକାଲି ସନ୍ଧ୍ୟାରୁ ରାତି ତମାମ ଓ ସକାଳ ପର୍ଯ୍ୟନ୍ତ ପାହାଡ ଉପରେ ଓ ତଳ ଚାରିପଟେ ଜଙ୍ଗଲ ବିଭାଗ ସହ ପୁଲିସ ଓ ବିଦ୍ୟୁତ୍ ବିଭାଗ ଟିମ୍ ପଇଁତରା ମାରିଛନ୍ତି। ଗତ ଚାରିଦିନ ହେବ ପାହାଡ ଉପରେ ଦନ୍ତା ହାତୀ ଥିବା ବେଳେ ଲୋକେ ଭୋଜି ଭାତ, ଗେଟ୍ ଟୁ ଗେଦର୍ ସହ ନୂଆ ବର୍ଷ ପୂର୍ବରୁ ମନୋରଞ୍ଜନ କରିବାକୁ ପର୍ଯ୍ୟଟକ ଭିଡ ଜମାଉଛନ୍ତି। ଯାହାକୁ ନେଇ ବନ ବିଭାଗ ଚିନ୍ତିତ ହେବା ସହ ତିନୋଟି ଟିମ୍ ଗଠନ କରିଥିଲେ। ପ୍ରଥମେ ଚନ୍ଦକା ଡିଏଫଓ, ରେଞ୍ଜର ଏବଂ ତାଙ୍କ ଟିମ୍ ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଲୋକଙ୍କୁ ପାହାଡ଼ ରୁ ବାହାର କରିବା ସହ ପାହାଡ ଉପରକୁ ଆସିବାକୁ ବାରଣ କରିଥିଲେ। ପାହାଡ ଉପରେ ରାପିଡ୍ ରେଷ୍ପନ୍ସ ଟିମ୍ ହାଇ ପାୱାର ହାଲୋଜେନ୍ ଟର୍ଚ୍ଚ, ଇଲେକ୍ଟ୍ରିକ୍ ଷ୍ଟିକ୍ ଏବଂ ସାଇରନ୍ ସହ ରାତିରେ ପହରା ଦେଇଥିଲେ। ବଡ଼ି ଭୋରୁ ମୁଖ୍ୟ ଫାଟକ ଏବଂ ରାସ୍ତାରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପାହାଡକୁ ଆସିବାକୁ ବାରଣ କରିଥିଲେ ବନ କର୍ମଚାରୀ। ଶେଷରେ ଏହି ଟେନସନ୍ ପାଇଁ ଆଜି ସକାଳେ ପ୍ରଶାସନ ପକ୍ଷରୁ ଗେଟ୍ ରେ ଭିତରକୁ ପ୍ରବେଶ ନିଷେଧ ବ୍ୟାନର ଲଗା ଯାଇ ଶିଖରଚଣ୍ଡୀ ମୁଖ୍ୟ ଗେଟ୍ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ଘୋଷଣା କରାଯାଇଛି। ସକାଳୁ ପର୍ଯ୍ୟଟକ ଆସି ଦେଖିଲେ ଶିକୁଳି। ସିକୁରିଟି ଗାର୍ଡ ଏବଂ ପୋଲିସ କଲେ ମନା। କିଏ କାଠ ନେଇ ଆସିଛି ତ କିଏ ପରିବା ନେଇ ଆସିଛି ତ ଆଉ କିଏ ରେଡିମେଡ୍ ଖାଦ୍ୟ ନେଇ ଆସିଥିଲେ। ପାହାଡ ଉପରେ ପରିବାର ଧରି ସମୟ କରିବାକୁ। ହେଲେ ଶିଖରଚଣ୍ଡୀ ପାହାଡ଼ ମେନ୍ ଗେଟ୍ ରେ ଶିକୁଳି ଦେଖି ମନ ଦୁଃଖରେ ଫେରିଛନ୍ତି। ହଠାତ୍ ଏମିତି ଦେଖି କୁଆଡେ ଯିବେ ବୋଲି ଦ୍ୱନ୍ଦରେ ପଡି ଥିଲେ ଲୋକେ। ସେପଟେ ବିନା ନୋଟିସ୍ କିମ୍ବା ସୂଚନା ରେ ଶିଖରଚଣ୍ଡୀ ଗେଟ୍ ବନ୍ଦ କରା ଯାଇଥିବାରୁ ପର୍ଯ୍ୟଟକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।