ପୁରୀରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ….

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ‘ବାଚସ୍ପତି କମିଟି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଓ ଓଡିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ନାଗାଲାଣ୍ଡ ବାଚସ୍ପତି ସାରିଙ୍ଗେନ୍‌ ଲଙ୍ଗକୁମେର ଯୋଗ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷତା କରି ବାଚସ୍ପତି ଶ୍ରୀ ନରୱେକର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିଷଦ ବ୍ୟାଖ୍ୟା କରିବା ସହ ଏହାର ପ୍ରଭାବ ଓ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡିଶାର ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ, ସମ୍ବିଧାନ ବିଶେଷଜ୍ଞ ତଥା ଆଇନର ବିଶାରଦମାନଙ୍କୁ ନେଇ କମିଟି ଗଠନ କରାଯାଇ ଏସବୁ ଆହ୍ୱାନର ମୁକାବିଲା ଦିଗରେ ସୁଚିନ୍ତିତ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ଆଗାମୀ ଦିନରେ ଏହାକୁ କିପରି ଗଣତାନ୍ତ୍ରିକ ପରମ୍ପରାରେ ସୁରକ୍ଷିତ ରଖାଯାଇ ପାରିବ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସମ୍ବିଧାନ ବିଶେଷଜ୍ଞ ତଥା ମହାରାଷ୍ଟ୍ରର ପୂର୍ବତନ ମହାଧିବକ୍ତା ଶ୍ରୀହରି ଜୀ ଆନେ ଏବଂ ଓଡିଶାର ମହାଧିବକ୍ତା ପୀତାମ୍ବର ଆଚାର୍ଯ୍ୟ ସମ୍ବିଧାନର ୧୦ମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିୟମକୁ କିପରି କଠୋର ଭାବରେ ଲାଗୁ କରା ଯାଇପାରିବ ଏବଂ ଏହାର ଭବିଷ୍ୟତର ରୂପରେଖ କିଭଳି ଭାବରେ ଜନସାଧାରଣଙ୍କର ଆସ୍ଥା ଓ ଜନପ୍ରତିନିଧିମାନଙ୍କର ଭୂମିକାକୁ ନିଶ୍ଚିତ କରିବ ସେ ସମ୍ପର୍କରେ ଆଇନଗତ ତର୍ଜମା କରିଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ବିଧାନସଭାର ସଚିବଙ୍କ ସହ ଲୋକସଭା ସଚିବାଳୟର ନିର୍ଦ୍ଦେଶକ ଅଜୟ ସୁଦ୍‌, ନିର୍ଦ୍ଦେଶକ (କନଫରେନ୍ସ ଓ ପ୍ରୋଟୋକଲ ଶାଖା) ୟୁମନାମ୍‌ ଅରୁଣ କୁମାର ଯୋଗ ଦେଇଥିବା ବେଳେ ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ସ୍ୱାଗତ ସୂଚନା ପ୍ରଦାନ କରିଥିଲେ। ଏହି କମିଟିର ପ୍ରଥମ ବୈଠକ ମହାରାଷ୍ଟ୍ରଠାରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତୀ ସମ୍ମିଳନୀ କର୍ଣ୍ଣାଟକଠାରେ ଆୟୋଜିତ ହେବ।