ବିଜେପିକୁ କ୍ଷମତାଚ୍ୟୁତ କରିବ ସୁଭଦ୍ରା ଯୋଜନା !

ବିଜେପିକୁ କ୍ଷମତାସୀନ କରିଥିବା ସୁଭଦ୍ରା ଯୋଜନା ଆଗାମୀ ଦିନରେ ବିଜେପି ପାଇଁ କଂଟା ହେବାକୁ ଯାଉଛି । ଆଜି ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ପ୍ରତିକୂଳ ହାୱା ବହିବା ଆରମ୍ଭ ହୋଇଛି ।

ମୋହନ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ସୁଭଦ୍ରା ଯୋଜନା ଶହେକୁ ଶହେ ସଫଳତା ହାସଲ କରିପାରୁନି । ରାସନ କାର୍ଡରୁ ବଂଚିତ ହିତାଧିକାରୀ, ସୁଭଦ୍ରା ଯୋଜନାରୁ ବଂଚିତ ହିତାଧିକାରୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଥିଲାବାଲାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉଥିଲା ବେଳେ ରାସନ କାର୍ଡରୁ ବାଦ ପଡ଼ିଥିବା ପରିବାରର ସୁଭଦ୍ରାମାନଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରାଯାଉନି ।

ସରକାରୀ କର୍ମଚାରୀ ଘରକୁ ଘର ଯାଇ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ମହିଳାଙ୍କ କେୱାଇସି ଯାଂଚ କରିବେ ଓ ସୁଭଦ୍ରା ଟଙ୍କା ପ୍ରଦାନ କରିବା ପାଇଁ ବାଟ ତିଆରି କରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ।

କିନ୍ତୁ ଦେଖିବାକୁ ମିଳୁଚି, ସରକାରଙ୍କ କ୍ଷମତାପ୍ରାପ୍ତ କର୍ମଚାରୀମାନେ ଗୋଟିଏ ଜାଗାରେ ବସି କିଛି ରାଜନେତାଙ୍କ କଥାରେ ପ୍ରକୃତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରୁନାହାନ୍ତି ।

ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଖୋଜି ଖୋଜି ରାଜ୍ୟ ସରକାର ସୁଭଦ୍ରା ଟଙ୍କା ପ୍ରଦାନ କରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ତାହା କଥାରେ ରହିଯିବନି ତ?