ପ୍ରେମିକା ଘରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀର ସାଲିଆସାହି ବସ୍ତିରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍‌ ପ୍ରେମୀ ଯୁଗଳଙ୍କ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ।

ଗଞ୍ଜମ ଜିଲାର ଚିତ୍ରସେନ୍‌ ଗୌଡ଼ ବିଜୟୱାଡ଼ାରେ କାମ କରନ୍ତି। ରବିବାର ଚିତ୍ରସେନ୍‌ ସାଲିଆ ସାହିରେ ରହୁଥିବା ତାଙ୍କ ପ୍ରେମିକା ପି.ବର୍ଷା ରେଡ୍ଡୀଙ୍କୁ ଦେଖା କରିବାକୁ ଆସିଥିଲେ। ସବୁଦିନ ପରି ରବିବାର ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ବର୍ଷାଙ୍କ ଘରକୁ ଆସିଥିଲେ ଚିତ୍ରସେନ। ତେବେ ମାଧବ ଓ ତାଙ୍କ ପତ୍ନୀ କାମରୁ ଫେରି ଘର ଭିତରେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ଯାଇଥିଲେ। ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି।