ଗଣିଆ – ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି । ଅନେକ ଆଦିବାସୀ ଇଲାକା ଏବେବି ଅନ୍ଧାରୀ ମୂଲକରେ ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୈଳିକ ସୁବିଧାରୁ ବଂଚିତ ଅଛନ୍ତି ଆଦିବାସୀ ମାନେ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତର ଏଭଳି ଏକ ଗାଆଁ ହେଉଛି ମଳାସପଦର । ଏଠାରେ ୧୨ଟି ପରିବାରର ପ୍ରାୟ ୫୦ ଜଣ ଲୋକ ବାସ କରନ୍ତି । ଗାଁକୁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ ।
ଜଙ୍ଗଲ ଭିତରେ ଆବଡାଖାବଡା ରାସ୍ତା ଖଣ୍ଡିଏ ଯାଇଛି ଯେଉଁଥିରେ ଚାଲିକରି ଯିବା ଅସମ୍ଭବ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାଦିନେ ରାସ୍ତା କାଦୁଅରେ ଭର୍ତ୍ତି ହୋଇଯିବା ଫଳରେ ଯାତାୟତରେ ବାଧା ଉପୁଜୁଛି । ପିଇବା ପାଇଁ ଶୁଦ୍ଧ ପାନୀୟ ଜଳ ଟୋପେ ମିଳୁନାହିଁ । ଖୋଲାଗାଡିଆ ଏମାନଙ୍କ ପାଇଁ ସାହାଭରସା । ଗାଡିଆରୁ ଅପରିଷ୍କାର ପାଣି ବ୍ୟବହାର କରି ଲୋକେ ନାନାଦି ବ୍ୟାଧିରେ ପଡ଼ୁଛନ୍ତି ।
ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହିତ ବ୍ଳକ ସମ୍ମୁଖରେ ଅନେକ ଥର ଧାରଣା ଦେଇଥିଲେ ମଧ୍ୟ ପ୍ରଶାସନ କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ଗ୍ରାମରେ ବିଦ୍ୟାଳୟ ନଥିବାରୁ ୨ କିଲୋମିଟର ଦୂର ବଡ଼ସିଲିଙ୍ଗାକୁ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି । ସ୍ବାସ୍ଥ୍ୟ ସେବା କଥା ନକହିବା ଭଲ । ତେବେ ଉକ୍ତ ଗ୍ରାମରେ ଥିବା ପ୍ରମୁଖ ସମସ୍ୟା ରାସ୍ତା ଓ ପାନୀୟ ଜଳ ସଙ୍କଟ ଦୂର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।