ଉଲିବୁରୁ ଖଣି ଦୁର୍ନୀତି ଆଳରେ ନବୀନଙ୍କୁ ଡରାଉଛି କେନ୍ଦ୍ର!
ଭୁବନେଶ୍ୱର: ଉଲିବୁରୁ ଖଣି ମହାଦୁର୍ନୀତି ସଂପର୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ସୋମବାର ଦୀପକ ଗୁପ୍ତା ଓ ଚମ୍ପକ ଗୁପ୍ତାଙ୍କୁ ଘନଘନ ଜେରା କରିଛି । ନିର୍ବାଚନ ମେଂଟ ସଂପର୍କରେ ବିଜେପିର ପ୍ରସ୍ତାବକୁ ବିଜେଡି ଗ୍ରହଣ ନକରିବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଇଡି ଉଲିବୁରୁ ଖଣି ଦୁର୍ନୀତି ପେଡ଼ିକୁ ଘଂଟାଚକଟା କରୁଛି ବୋଲି ରାଜ୍ୟ ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟାମାନ ଶୁଣିବାକୁ ମିଳୁଛି ।
ଗତ ଦୁଇ ସପ୍ତାହ ଭିତରେ ଓଡ଼ିଶା ଓ କୋଲକାତାର ପ୍ରାୟ ୧୨ଟି ଆଡ୍ଡା ଉପରେ ଚଢ଼ଉ କରି ଇଡି ଅଧିକାରୀମାନେ ଗୋଟିଏ ଭଲଭୋ କାର, ୧୨୪ ଲକ୍ଷ ଟଙ୍କାର ସୁନାଗହଣା, ନଗଦ ୩୦ ଲକ୍ଷ ଟଙ୍କା ଓ ୧ କୋଟି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଂଟ ଠାବ କରିଛନ୍ତି । ଗୁପ୍ତା ଭାଇଙ୍କର ପ୍ରାୟ ୩୭୯ କୋଟିର ସଂପତି ବିବରଣୀ ପିଏମଏଲଏ କୋର୍ଟରେ ଦାଖଲ କରିଛି ଇଡି ।
ସୂଚନା ମୁତାବକ ଦୀପକ ଗୁପ୍ତାଙ୍କ ମାଲିକାନାରେ ଥିବା ଷ୍ଟିଲ କମ୍ପାନୀର ବିଭିନ୍ନ ଆଡ୍ଡା ଉପରେ ଇଡି ଚଢ଼ଉ କରିଥିଲା । ଦୀପକ ଗୁପ୍ତାଙ୍କ ଚାର୍ଟାଡ ଆକାଉଟାଂଟ ଅଜୟ କଦମୱାଲା ମଧ୍ୟ ଇଡି ଛାଟରୁ ମୁକ୍ତି ପାଇନାହାନ୍ତି । ଉଲିବୁରୁ ଖଣି ମାମଲାରେ ଦୀପକ ଗୁପ୍ତା ବହୁତ ବେଆଇନ ବାଟରେ ପ୍ରାୟ ୧୫୦୦ କୋଟି ଟଙ୍କା ହେରଫେର କରିଛନ୍ତି ।