ନାଟୋକୁ ପୁଟିନଙ୍କ ଧମକ: ତୃତୀୟ ବିଶ୍ୱଯୁଦ୍ଧକୁ ଆମନ୍ତ୍ରଣ କରନା

ମସ୍କୋ: ୟୁକ୍ରେନ ସପକ୍ଷରେ ନାଟୋ ସେନା ସଜବାଜ ହେଉଥିବାର ସମ୍ବାଦ ଶୁଣିବା କ୍ଷଣି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତୃତୀୟ ବିଶ୍ୱଯୁଦ୍ଧକୁ ସ୍ୱାଗତ କରନା ବୋଲି ଚେତାବନୀ ଶୁଣାଇଛନ୍ତି । ସୋମବାର ଗଣମାଧ୍ୟମକୁ ପୁଟିନ କହିଛନ୍ତି, ୟୁକ୍ରେନ ସେନା ଭିତରେ ନାଟୋ ସୈନିକମାନେ ଲୁଚାଛପାରେ ରୁଷ ବିରୋଧରେ ଯୁଦ୍ଧ କରୁଥିବା ବିଷୟ କାହାକୁ ଅଛପା ନାହିଁ । ସେମାନଙ୍କର ଏଭଳି ହୀନ ଉଦ୍ୟମକୁ କେବେ ସଫଳ ହେବାକୁ ଦିଆଯିବ ନାହିଁ ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ରାଷ୍ଟ୍ରପତି ପୁଟିନ ଯୁକ୍ତରାଷ୍ଟ୍ର ଆମେରିକା ପରିଚାଳିତ ନାଟୋ ସେନାକୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ।

ପୁଟିନ ଉଭୟ ଇଂରାଜୀ ଓ ଫରାସୀ ଭାଷାରେ ଅଭିଭାଷଣ ପ୍ରଦାନ କରିଥିଲେ । ପୁଟିନ ତାଙ୍କ ଭାଷଣରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଟାର୍ଗେଟ୍‌ କରି କହିଥିଲେ, ଆଧୁନିକ ଯୁଗରେ କିଛି ବି ସମ୍ଭବ ହୋଇପାରେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଚେହେରା ଦେଖିବା ପରେ ବିଶ୍ୱବାସୀ କେବେ ତୃତୀୟ ବିଶ୍ୱଯୁଦ୍ଧକୁ ଦେଖିବାକୁ ଅଭିଳାଷ କରିବେନି ବୋଲି ମୋର ଆଶା । ପୁଟିନଙ୍କ ଏଭଳି ଧମକକୁ ବହୁ ରାଷ୍ଟ୍ର ସମାଲୋଚନା କରିଛନ୍ତି ।