ମଇଦାନରୁ ସିଧା ଡାକ୍ତରଖାନାକୁ ଗଲେ ବାଂଲା ୱିକେଟ୍‌ ରକ୍ଷକ ଜାକେର ଅଲୀ

ଚଟ୍ଟୁଗ୍ରାମ: ବାଂଲାଦେଶ ୱିକେଟ୍‌ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍‌ ଜାକେର ଅଲୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଜହୁର ଅହମ୍ମଦ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଆନ୍ତର୍ଜାତିକ ଦିନିକିଆ ମୁକାବିଲା ଖେଳୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ସେ ମଇଦାନରୁ ସିଧା ଡାକ୍ତରଖାନା ବେଡ୍‌ ରେ ଆରାମ କରୁଛନ୍ତି ।

ଟସ୍କିନ ଅହମ୍ମଦଙ୍କ ବୋଲିଂରୁ ଉଠିଥିବା କ୍ୟାଚ୍‌ ଧରିବାକୁ ଉଦ୍ୟମ କରୁଥିବା ସମୟରେ  ଅନାମୁଲ ହକ୍‌ ଓ ଜାକେର ଅଲୀଙ୍କ ଭିତରେ ଧକ୍କା ହୋଇଥିଲା । ବାସ୍‌ ସେହି ଧକ୍କାରେ ଜାକେର ଏଭଳି ଜଖମ ହୋଇଗଲେ ଯେ ତାଙ୍କୁ ଷ୍ଟ୍ରେଚରରେ ଶୁଆଇ ପଡ଼ିଆ ବାହାରକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ, ଜାକେର ଜଣେ ବିକଳ୍ପ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ । କଥା କ’ଣ କି, ବାଂଲା କ୍ରିକେଟର ସୌମ୍ୟ ସର୍କାର ଗୋଟିଏ ବଲକୁ ବାଉଣ୍ଡରୀ ନିକଟରେ ଅଟକାଇବାକୁ ଉଦ୍ୟମ କରୁଥିଲା ବେଳେ ଗୋଟିଏ ବିଜ୍ଞାପନ ବୋର୍ଡରେ ପିଟି ହୋଇଗଲେ ।

ତାଙ୍କ ବେକରେ ଗଭୀର ଚୋଟ ଲାଗିଥିଲା; ସେ ପଡ଼ିଆରୁ ବିଦାୟ ନେବାପରେ ତାଙ୍କ ବଦଳରେ ଜାକେର ପଡ଼ିଆକୁ ଆସିଥିଲେ । ମାତ୍ର ସେ ବି ଗୁରୁତର ଆହତ ହୋଇ ଡାକ୍ତରଖାନାକୁ ଗଲେ ।