ରୁଗ୍‌ଣ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଇଛି । ସୂଚନା ମୁତାବକ ୭୯ ହଜାର ୫୬୫ ଜଣ ଆବେଦନ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ୧୪ଟି ପୁରସ୍କାର ପ୍ରଦାନ କରାଯିବ ।

ରାଜ୍ୟର ଜରାଜୀର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ବଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ପ୍ରଦାନ ଉଦ୍ୟମ କାହା ଉପରେ କି ପ୍ରଭାବ ପକାଇବ, ତାହା ଖୋଦ ନବୀନ ପଟ୍ଟନାୟକଙ୍କୁ ଅଜଣା ।

ରାଜ୍ୟର ଅଧିକାଂଶ ବିଦ୍ୟାଳୟର ଭିତିଭୂମି ସୁଦୃଢ଼ ନାହିଁ । ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ସଂଖ୍ୟା କମ୍‌ । ଅଧିକାଂଶ ବିଦ୍ୟାଳୟରେ ଶିକ୍ଷାର ମାନ ଅନୁନ୍ନତ । ଖୋଦ ସରକାରଙ୍କ ଦୁର୍ବଳ ପଦକ୍ଷେପ କାରଣରୁ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ସୁସଂପର୍କ ନାହିଁ ।

ଅଧିକାଂଶ ସରକାରୀ କର୍ମଚାରୀଙ୍କ ପିଲାମାନେ ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସରକାରୀ ବିଦ୍ୟାଳୟଗୁଡ଼ିକ କେବଳ ଗରିବ ପରିବାରର ପିଲାମାନଙ୍କ ପାଇଁ ବୋଲି ସାଧାରଣରେ ପରିଚୟ ବହନ କରିଛି । ତାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ କରାଯାଉନି । ଘରୋଇ ସଂସ୍ଥା ହାତକୁ ଶିକ୍ଷା ବ୍ୟବସ୍ଥାକୁ ଟେକି ଦିଆଯିବା ଫଳରେ ତାହା ଏକ ବ୍ୟବସାୟରେ ପରିଣତ ହୋଇଛି ।

ଏତେସବୁ ଅବ୍ୟବସ୍ଥା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଉଦ୍ୟମକୁ ସ୍ୱାଗତ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୁହଁକୁ ଲାଜ ଲାଗୁନି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଉଦ୍ୟମକୁ ଦେଖିଲେ ରାଧାନାଥ ରାୟଙ୍କ ଲିଖିତ ‘ଦରବାର’ କାବ୍ୟ କଥା ମନେ ପଡିଯାଉଛି ।