ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟ କରି ଦୁର୍ନୀତିଖୋରଙ୍କୁ ଧରିବାରେ ସଫଳ ହୋଇଛି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭିଜିଲାନ୍ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ଟି କେସ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ। ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇନାହାନ୍ତି। ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସର ଫୈସଲା ହୋଇଛି। ସର୍ବାଧିକ ୧୭୩ଟି ଆୟ ବହିର୍ଭୁତ ସମ୍ପତି ଜନିତ କେସ ଫୈସଲା ହୋଇଛି। ଏହା ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ।
ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍ରେ ସରକାର କାର୍ଯ୍ୟ କରୁଥିବାରୁ ଓଡିଶା ସାରା ଭାରତରେ ପ୍ରଶଂସିତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନ୍ସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି। ଭିତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ଓଝଙ ୯୦୦୧:୨୦୧୫ ସାର୍ଟିଫିକେଟ୍ ମିଳିଛି। ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନିବର୍ଷ ପାଇଁ ମିଳିଛି। ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ। ୨୦୨୫ ବର୍ଷରେ ସମୁଦାୟ ୪୮୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଆୟ ବହିର୍ଭୁତ ସମ୍ପତି, ଲାଂଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଂଟ୍ ବନ୍ଦ କରି ଦିଆଯାଇଛି। ୧୫୩ଟି ବିଲଡିଙ୍ଗ, ୧୮.୩ କିଲୋଗ୍ରାମ ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କା ଜମାରାଶି ଏବଂ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତମାନ ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ସମୟ ଆସିଯାଇଛି ଏବଂ ଏକ ଏପରି ଉଦାହରଣ ସୃଷ୍ଟି କରିବା ଯାହାଫଳରେ ସରକାରୀ କର୍ମଚାରୀମାନେ ଦୁର୍ନୀତିର ରାସ୍ତାରୁ ନିବୃତ ରହିବେ। ଭିଜିଲାନ୍ସ ବିଭାଗ ତାର ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଭିଜିଲାନ୍ସ ବିଭାଗର ବିଭିନ୍ନ ଆବଶ୍ୟକତା ଯେପରି ଦକ୍ଷତା ବୃଦ୍ଧି, ନିଯୁକ୍ତି ଏବଂ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଭିଜିଲାନସ ବିଭାଗ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନ୍ସ ଅସୀତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।