ଜିଲ୍ଲାପାଳ ମାସିକ ସମୀକ୍ଷା କରି ଦାଖଲ କରିବେ ରିପୋର୍ଟ

ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର …

ଭୁବନେଶ୍ୱର: ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମ.ଭି. ୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଗୋକୁଳାନନ୍ଦ ମଲ୍ଲିକ, ପୁଲିସ ମହାନିର୍ଦ୍ଦେଶକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା- ଶାସନ ସଚିବ, ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତ, ଦକ୍ଷିଣ କେନ୍ଦ୍ରାଂଚଳ ଡିଆଇଜି, ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଏବଂ ମୁଖ୍ୟତଃ ଜନଜାତିମାନଙ୍କର ଦୀର୍ଘ ଦିନ ବ୍ୟାପୀ ରହି ଆସିଥିବା ଅସମାହିତ ପ୍ରସଙ୍ଗ ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରେଗୁଲେସନ ୨/୫୬ (୨୦୦୨ ସଂଶୋଧୂତ) ଅନୁଯାୟୀ ବିଚାରାଧୀନ ମାମଲାଗୁଡିକୁ ଜିଲ୍ଲାପାଳ ନିୟମିତ ଭାବରେ ପ୍ରତ୍ୟେକ ୧୫ ଦିନରେ ସମୀକ୍ଷା କରି ଏହାର ପ୍ରଗତି ସମ୍ବନ୍ଧରେ ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତ ଓ ସରକାରଙ୍କୁ ଅବଗତ କରାଇବେ। ଭୂମିହୀନ ତଥା ବାସଗୃହ ହୀନ ଜନଜାତି ପରିବାରକୁ ଆଇନ ଅନୁସାରେ ସ୍ଥାୟୀ ପଟ୍ଟା ପ୍ରଦାନର ଆଶୁ ବ୍ୟବସ୍ଥା କରାଯିବ। ଏହାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ମାସରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ସରକାରଙ୍କୁ ଅବଗତ କରାଇବେ। ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳସେଚନ ବିଭାଗ ସହ ସମନ୍ୱୟ ରଖି ଏହି ସମସ୍ୟାର ଦୀର୍ଘ ମିଆଦି ସମାଧାନ କରିବ।
ସେହିଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ତିନି ମାସରେ ମାଲକାନଗିରି ଜିଲ୍ଲାର ଉପରୋକ୍ତ ତଥା ଅନ୍ୟାନ୍ୟ ରାଜସ୍ୱ ମାମଲା ଉପରେ ନିୟମିତ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ। ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଲୋକମାନଙ୍କର ଜଳ ଭଣ୍ଡାର ପାଖରେ ଥିବା ଉଚ୍ଚ ଚାଷ ଜମିରେ ଜଳସେଚନ ସୁବିଧା କରାଯିବା ନିମନ୍ତେ ଆଗାମୀ ଦିନରେ ଜଳ ସମ୍ପଦ ବିଭାଗ ଦ୍ୱାରା ପ୍ରୟାସ କରାଯିବ। ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନା, ପି.ଏମ.ଇ.ଜି.ପି ଓ ପି.ଏମ.ଏଫ.ଏମ.ଇ ଅଧୀନରେ ଜନଜାତି ବର୍ଗର ପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ, ଏହାର ବ୍ୟବସ୍ଥା କରାଯିବ। ପ୍ରାଥମିକ ବିଦ୍ୟାଳୟରେ କୋୟା, ଡିଡାଇ, ବଣ୍ଡା ଜନଜାତି ଭାଷାର ଖାଲିଥିବା ଏମ.ଏଲ.ଇ. ଶିକ୍ଷକ ପଦକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପୂରଣ କରିବେ ସରକାର। ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ଦଶମ ଶ୍ରେଣୀ ପରେ ମଧ୍ୟ ପଢା ଜାରି ରଖିପାରିବେ, ତାହା ନିମନ୍ତେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଅଧିକ ସଂଖ୍ୟକ ଆସନ ସୃଷ୍ଟି କରାଯିବାର ପ୍ରୟାସ କରାଯିବ।

ଅନ୍ୟପଟେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲାର ଦୂର-ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ରହଣି ନିମନ୍ତେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଛାତ୍ରାବାସ ନିର୍ମାଣ କରାଯିବ। ରାଖେଲଗୁଡା- ଏମ.ଭି.-୨୬ ଗ୍ରାମ ପାଇଁ ଆର୍ଥିକ ସହାୟତା ମୃତ ଲାକେ ପଡ଼ିଆମିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ। ମାଲକାନଗିରି ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତିରେ ଏମ.ଭି.୨୬ ଗ୍ରାମର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ରିପୋର୍ଟରେ ଦର୍ଶିତ ନଷ୍ଟ ହୋଇଥିବା ଘରର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି କ୍ଷତିଗ୍ରସ୍ତ ଦୋକାନ ମରାମତି ନିମନ୍ତେ ପ୍ରତ୍ୟେକ ଦୋକାନୀଙ୍କୁ ଦୋକାନର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ।