ଭୁବନେଶ୍ୱର: ଖବରକାଗଜ ହକରଙ୍କ ଲାଗି ସାମାଜିକ ସୁରକ୍ଷା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ହକରଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ସହାୟତା ମିଳିବ । ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ହକରଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ । ସେହିପରି ଦୁର୍ଘଟଣା ଜନିତ ସଂପୂର୍ଣ୍ଣ ଅକ୍ଷମ ହକରଙ୍କୁ ଦେଢ ଲକ୍ଷ, ଉଭୟ ଅଙ୍ଗ ହରାଇଥିଲେ ୮୦ ହଜାର ଟଙ୍କା ସହାୟତା ମିଳିବ
। କିନ୍ତୁ ଗୋଟିଏ ଅଙ୍ଗ ହରାଇଥିଲେ ୪୦ ହଜାର ଟଙ୍କା ସହାୟତା ମିଳିପାରିବ । ଏନେଇ ସୂଚନା ଓ ଲୋକ ସଂପର୍କ ପକ୍ଷରୁ ଏକ ଡାଟାବେସ ପ୍ରସ୍ତୁତ କରାଯିବ । ସେହିପରି କାମ କରିବା ପାଇଁ ୱାର୍କସେଡ ବ୍ୟବସ୍ଥା ହେବ । ରାଜ୍ୟ ସରକାର ପଞ୍ଜୀକୃତ ଖବରକାଗଜ ହକରଙ୍କୁ କୋଭିଡ ସହାୟତା ଯୋଗାଇବା ସହ ୨ଟି ପର୍ଯ୍ୟାୟରେ ୩ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।