ଏକାମ୍ର ହାଟରୁ ଗଡିଲା ପ୍ରଚାର ରଥ

୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା ଉପଲକ୍ଷେ ….

ଭୁବନେଶ୍ୱର: ୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା ଉପଲକ୍ଷେ ଗୁରୁବାର ସ୍ଥାନୀୟ ଏକାମ୍ର ହାଟ ଠାରୁ ପ୍ରଚାର ରଥ ଗଡିଛି। ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରଚାର ରଥ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର ପ୍ରମୁଖ ସହର ପରିକ୍ରମା କରିବ। ସୂଚନାଯୋଗ୍ୟ, ସ୍ଥାନୀୟ ଜନତା ମଇଦାନଠାରେ ଫେବ୍ରୁଆରି ୧୪ ରୁ ୨୬ ତାରିଖ ୨୦ ତମ ଭବ୍ୟ ତୋଷାଳି ସ୍ୱଦେଶୀ ମେଳା ଆୟୋଜନ ହେବାକୁ ଯାଉଛି। ଚଳିତବର୍ଷର ଥିମ୍‌ ରହିଛି ସ୍ୱଦେଶୀ ଏବଂ ଆତ୍ମନିର୍ଭର। ମୋଟ ୮୪୦ ଟି ଷ୍ଟଲ୍‌ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ସେରିଫେଡର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସିଡାକର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳ, ଉପ ଶାସନ ସଚିବ ସୁବ୍ରତ କୁମାର ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।