ଦକ୍ଷିଣ ଆଣ୍ଡାମାନ ସାଗର ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କ୍ରମେ ଉତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖ ବେଳକୁ ଉତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଏସବୁ ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାଛଡା ବାତ୍ୟା ସମୁଦ୍ର ମଧ୍ୟରେ ରହି ବଳ ଗୋଟାଇବ । ୮ରୁ ୧୦ ମଧ୍ୟରେ ପର୍ଯ୍ୟାୟକ୍ରମେ ସମୁଦ୍ରରେ ପବନର ବେଗ ୪୦ରୁ ୯୦ କିଲୋମିଟର ରହିବ । ତେଣୁ ୮ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ କୁହାଯାଇଛି । ତେବେ ବାତ୍ୟା ନିର୍ଦ୍ଦିଷ୍ଟ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।