ଭୁବନେଶ୍ୱର: ରାଜ୍ୟରେ ପୂଜା ବେଳକୁ ବାତ୍ୟା ଆସିବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହେଉଥିବା ତାହା ଦୂର ହୋଇଛି । ଦଶହରାରେ ବାତ୍ୟା ଭୟ ଦୂର ହୋଇଥିଲେ ହେଁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ପୂର୍ବରୁ ଦୁଇଟି ବାତ୍ୟା ଆସିବା ନେଇ ପୂର୍ବାନୁମାନ କରାଯାଇଥିଲା । ମାତ୍ର ପ୍ରଥମଟି ବାତ୍ୟା ନହୋଇ ଲଘୁଚାପ ପରେ ଅବପାତର ରୂପ ନେବ ବୋଲି ଏବେ ସ୍ପଷ୍ଟ ହୋଇଛି । ଦ୍ୱିତୀୟଟିର ପ୍ରଭାବରେ ୧୭ ତାରିଖ ବେଳକୁ ବାତ୍ୟା ହେବ ବୋଲି ପାଣିପାଗବିତମାନେ ଆଶଙ୍କା ପ୍ରକାଶ କରିଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ, ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ । କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ତାପମାତ୍ରା ଓ ଉପର ବାୟୁମଣ୍ଡଳର ସ୍ଥିତି ଯୋଗୁଁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ହେବ । ଫଳରେ ରାଜ୍ୟରେ ୧୪, ୧୫ ଓ ୧୬ରେ ବର୍ଷା ହେବ ବୋଲି ସମ୍ଭାବନା ଥିଲା ।