ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ବିଜେଡିର କିଛି ନେତାଙ୍କୁ ନିଗମ ଓ କମିଶନରେ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି । କ୍ଷମତାସୀନ ବିଜେଡିର କିଛି ନିଶ୍ଚିତ ପ୍ରାର୍ଥୀଙ୍କୁ ନିଗମ ଓ କମିଶନ ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦଳୀୟ ସ୍ୱାର୍ଥ ନିକଟରେ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ।
ନବୀନଙ୍କ ଦୃଷ୍ଟିରେ ଯେ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କାକରେ କିଲେ ଚାଉଳ ଦେଉଥିବେ; ସେ ପର୍ଯ୍ୟନ୍ତ କ୍ଷମତାରେ ବସିଥିବେ । ତାଙ୍କ ମନରେ ଏଭଳି ଭାବନା ଆସିବା ସ୍ୱାଭାବିକ କାରଣ ଭାରତ ସ୍ୱାଧୀନତା ହାସଲ କଲା ସତ; ମାତ୍ର ଲୋକଙ୍କ ମାନସିକତାରେ କିଛି ବଦଳିଲାନି । ଆଜି ବି ଶିକ୍ଷିତ ଲୋକମାନେ ପଣ୍ଡିତ ପୁଅକୁ ପଣ୍ଡିତ କହି ମୁଣ୍ଡିଆ ମାରୁଛନ୍ତି । ଏ ପ୍ରକାର ଦୁର୍ବଳ ମାନସିକତା ଲୋକଙ୍କ ମନରେ ଥିବା ପର୍ଯ୍ୟନ୍ତ ସମାଜର ପ୍ରଗତି ଅସମ୍ଭବ ।
ବିଜୁ ପଟ୍ଟନାୟକ ତାଙ୍କ ସାହସିକତା ବଳରେ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ଲାଭ କରିଥିଲେ । ତା’ମାନେ ନୁହେଁ ଯେ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନୀତ କରିବେ । ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ରାଜବଂଶ ଓ ଜମିଦାର ବଂଶଙ୍କ ଅଧୀନରେ ଶାସିତ ଓ ଶୋଷିତ ହୋଇ ଆସିଥିବା ଭାରତୀୟ ପରିବାର ମନରୁ ବଂଶ, ପରମ୍ପରା ଓ ଆଭିଜାତ୍ୟ ସଂପୂର୍ଣ୍ଣ ରୂପେ ଲୋପ ପାଇନାହିଁ ଯାହା ଗଣତନ୍ତ୍ର ଶାସନ ପ୍ରତି ବିରାଟ ବିପଦ ।
ଏ ପ୍ରକାର ଦୁର୍ବଳ ମାନସିକତା ହଟାଇବା ପାଇଁ କୌଣସି କ୍ଷମତାସୀନ ରାଜନୈତିକ ଦଳ କି ମେଂଟ ପକ୍ଷରୁ ସାମାନ୍ୟ ପଦକ୍ଷେପ ଗ୍ରହଣ କରାଯାଇନି । ତା’ର କାରଣ ରାଜନୈତିକ ଫାଇଦା । ସବୁ ରାଜନୈତିକ ଦଳ ବଂଶ ପରମ୍ପରା ଶାସନକୁ ଦୃଢ଼ ଭାବରେ ଜାବୁଡ଼ି ଧରିଛନ୍ତି । ରାଜନୈତିକ ଦଳର ଏ ପ୍ରକାର ହୀନ ଚିନ୍ତାଧାରାକୁ ହଟାଇବା ପାଇଁ କୌଣସି ବୁଦ୍ଧିଜୀବୀ ଗୋଷ୍ଠୀ ଉଦ୍ୟମ କରୁନାହାନ୍ତି ।
ପରିଣାମ ସ୍ୱରୂପ ଗଣତନ୍ତ୍ର ଶାସନର ମିଛ ଖୋଳପା ଭିତରେ ବଂଶଗତ ଶାସନକୁ ବଂଚାଇ ରଖାଯାଉଛି । ବିଜୁ ପଟ୍ଟନାୟକଙ୍କ ଦାୟାଦ ହୋଇଥିବାରୁ ନବୀନ ପଟ୍ଟନାୟକଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରିବା ଏକ ପ୍ରକାର ମାନସିକ ବ୍ୟାଧିର ଲକ୍ଷଣ । ଏହାର ନିରାକରଣ କରାଯିବା ଜରୁରୀ ।