ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସନ୍ତୁଷ୍ଟ ପ୍ରଭୁ ମହାକାଳ

କାଶୀ ବିଶ୍ୱନାଥଙ୍କୁ ଦେବଦେବୀଙ୍କ ସୁରକ୍ଷା ଦାୟିତ୍ୱ

ମହାପ୍ରଭୁ ମହାକାଳଙ୍କୁ ରାକ୍ଷସଙ୍କୁ ଜଗିବା ଦାୟିତ୍ୱ….

ଉଜ୍ଜୟିନୀ: ମଙ୍ଗଳବାର ମହାକାଳ ଲୋକପୀଠକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମହାକାଳ ଲୋକ ପୀଠ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାତକର ସଂଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଉଜ୍ଜୟିନୀର ଜ୍ୟୋତିଷ କହନ୍ତି ମୋଦୀ ତାଙ୍କ କାର୍ଯ୍ୟକାଳ ଭିତରେ ଦୁଇଟି ଜ୍ୟୋତିର୍ଲିଙ୍ଗ କରିଡରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ପ୍ରଥମଟି ହେଉଛି ୟୁପିର କାଶୀ ବିଶ୍ୱନାଥ ଓ ଦ୍ୱିତୀୟଟି ମଧ୍ୟପ୍ରଦେଶର ମହାକାଳ ଲୋକ ।

ମହାକାଳ ଲୋକ ପୀଠର ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାରକୁ ଧାର୍ଯ୍ୟ କଲେ । ଏ ଯାବତ୍‌ ମୋଦୀ ତାଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମଙ୍ଗଳବାର ଦିନଟିକୁ ଧାର୍ଯ୍ୟ କରି ନଥିଲେ । ମୋଦୀ ତାଙ୍କର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ କାମ ସୋମବାର କରିଛନ୍ତି । ପ୍ରଥମ ଥର ପାଇଁ ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ଧାର୍ମିକ ପୀଠର ଆଧୁନିକୀକରଣକୁ ଲୋକାର୍ପଣ କରିଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀ ଅଧିପତି ହେଉଛନ୍ତି ମଙ୍ଗଳ । ମୋଦୀ ମଙ୍ଗଳବାର ଦିନ ଉକ୍ତ ପୀଠରେ ପାଦ ପକାଇଛନ୍ତି । ମୋଦୀଙ୍କ ଜାତକର ଲଗ୍ନାଧିପତି ହେଉଛନ୍ତି ମଙ୍ଗଳ ।

ମହାକାଳ ଓ କାଶୀ ବିଶ୍ୱନାଥ ସଚରାଚର ବିଶ୍ୱ ଓ ଭୂଲୋକର ଅଧିପତି । ଦେଶର ପ୍ରମୁଖ ୧୨ଟି ଜ୍ୟୋତିର୍ଲିଙ୍ଗ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଟି ଜ୍ୟୋତିର୍ଲିଙ୍ଗକୁ ନୂଆରୂପ ଦେଇ ଲୋକାର୍ପଣ କରିଛନ୍ତି । କାଶୀ ବିଶ୍ୱନାଥଙ୍କ ଜ୍ୟୋତିର୍ଲିଙ୍ଗ ଉତରମୁଖୀ । ଉତରଦିଗରେ ସବୁ ଦେବଦେବୀ ଅବସ୍ଥାନ କରିଛନ୍ତି ଓ ସେମାନଙ୍କର ସୁରକ୍ଷା ଦାୟିତ୍ୱ କାଶୀ ବିଶ୍ୱନାଥ ବହନ କରିଛନ୍ତି । ପ୍ରଭୁ କାଶୀ ବିଶ୍ୱନାଥ ପୀଠଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକସଭା ଆସନ ଭିତରେ ଥିବାରୁ ପ୍ରଥମରୁ ମୋଦୀଙ୍କ ଫୋକସ୍‌ରେ ଥିଲା ।

ଏବେ ମହାକାଳ ପୀଠ କଥା କହୁଛୁ । ଶାସ୍ତ୍ରମତେ ମହାକାଳ ଜ୍ୟୋତିର୍ଲିଙ୍ଗ ହିଁ ଏକମାତ୍ର ଜ୍ୟୋତିର୍ଲିଙ୍ଗ ଯାହାଙ୍କ ମୁହଁ ଦକ୍ଷିଣ ଦିଗକୁ ଅଛି । ମହାକାଳ ରାକ୍ଷସ ଗୋଷ୍ଠୀଙ୍କ ଉପରେ ଦୃଷ୍ଟି ରଖିଛନ୍ତି । ଏହାକୁ ଯୋଗ-ସଂଯୋଗ ଅବା ବୁଝିବିଚାରି ପଦକ୍ଷେପ କୁହାଯାଇପାରେ । କାଶୀ ବିଶ୍ୱନାଥଙ୍କ ପରେ ମହାକାଳ ମନ୍ଦିରକୁ ଆଧୁନିକୀକରଣ କରାଯାଇଛି ଯାହା ଏକ କଲ୍ୟାଣକାରୀ ପଦକ୍ଷେପ ।

ପଣ୍ଡିତ ଆନନ୍ଦ ଶଙ୍କରଙ୍କ ମତରେ ଦେବାଧିଦେବ ମହାଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦୁଇଟି ପ୍ରମୁଖ ଜ୍ୟୋତିର୍ଲିଙ୍ଗର ନବରୂପ କରାଇବା ବିଧି ନିର୍ଦ୍ଦେଶିତ । ମହାପ୍ରଭୁ ଚାହିଁଥିଲେ ମୋଦୀଙ୍କ ହାତରେ ଅନ୍ୟ କୌଣସି ଧାର୍ମିକ ପୀଠର ଆଧୁନିକୀକରଣ କାମ କରାଇ ପାରିଥାନ୍ତେ । କିନ୍ତୁ ପ୍ରଥମେ ଏହି ଦୁଇଟି ଜ୍ୟୋତିର୍ଲିଙ୍ଗର କାମ ମୋଦୀଙ୍କ ହାତରେ କରାଇବା ମାନେ କ’ଣ ହୋଇପାରେ?