ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଫଳାଫଳକୁ ପ୍ରତୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଫଳାଫଳକୁ ପ୍ରତୀକ୍ଷା । ଆଶାୟୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇ ରହିଛି । ଗୁରୁବାର ପଞ୍ଚମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନପାଇଁ  ମତଦାନ ଶେଷ ହୋଇଛି ।

ରିପୋର୍ଟ ଅନୁସାରେ ୭୦%ରୁ ଅଧିକ ମତଦାନ ହୋଇଛି।  ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ କ୍ରମାଗତ ଭାବେ ଗଣନା ହେବ।  ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତ ଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ ଗଣନା ସୁପରଭାଇଜର, ଦୁଇ ଜଣ ସହକାରୀ ଗଣନା ଅଧିକାରୀ  ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ରହିବେ । ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।